Odiapua.com

ପୋଲେରୁ ତାଡକାରେଉରେ ବଡଯାତ୍ରା ଠାକୁରଙ୍କ ସ୍ନାନ ଲକ୍ଷାଧିକ ଭକ୍ତଙ୍କ ସମାଗମ, ମାନ୍ୟମକୋଣ୍ଡାରେ ତିନି ଠାକୁରଙ୍କ ସହ ମୁତ୍ୟେଲୁମ୍ମାଙ୍କ ଭେଟ

ମାଲକାନଗିରି, ୧୧-୩ (ଓଡିଆ ପୁଅ) ମାଲାକନଗିରି ଜିଲ୍ଲାର ମୁଖ୍ୟପର୍ବ ବଡଯାତ୍ରା ଆଜି ଠାରୁ ଶୁଭାରମ୍ଭ ହୋଇ ଯାଇଛି। ଆନ୍ଧ୍ର, ଛତିଶଗତ, ଓଡ଼ିଶା, ତେଲାଙ୍ଗାନା ଚାରୋଟି ରାଜ୍ୟ ଲକ୍ଷାଧିକ ଭକ୍ତ ତାଡକାରେଉ ରେ ବୁଡପକାଇ ମାଲକାନଗିରି ଜିଲ୍ଲାର ମୁଖ୍ୟପର୍ବ ବଡ ଯାତ୍ରାରେ ସାମିଲ ହୋଇଛନ୍ତି। ସୋମବାରଦିନ ବଡଯାତ୍ରାର ମୁଖ୍ୟ ତିନିଠାକୁର ଶ୍ରୀ ଶ୍ରୀ କାନାମରାଜ, ଶ୍ରୀବାଲରାଜ, ଶ୍ରୀପୋତରାଜ ଙ୍କୁ ସୁସଜିତ ବିମାନରେ ବାଣ ରୋଷଣି କାଳିଶ ନାଟ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ର ତାଡକାରେଉ ରେ ସ୍ନାନପରେ ଓଡ଼ିଶା ପୋଲେରୁ ସିଲେରୁ ନଦୀରେ ତିନିଠାକୁର ଙ୍କୁ ନୌକାବିହାର କରା ଯାଇଥିଲା, ଏହି ସ୍ନାନ ଦେଖିବାପାଇଁ ପୋଲେରୁ ନଦୀ ନିକଟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା, ସ୍ନାନପରେ ବିରାଟ ଶୋଭାଯାତ୍ରାରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗାଁ ଭ୍ରମଣକରି କାଲିମେଳା ବ୍ଲକସ୍ଥ ମାନ୍ୟମକୋଣ୍ଡା ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମୁତ୍ୟେଲୁମ୍ମା (ଯାଜ୍ଞସେନୀ) ଙ୍କୁ ସନ୍ଧ୍ୟାରେ ଭେଟ କରାଯାଇଛି। ମାଲାକନଗିରି ଜିଲ୍ଲା ପ୍ରଶାସନ ଓ ବଡଯାତ୍ରାପୂଜା କମିଟି ପକ୍ଷରୁ ଭକ୍ତଙ୍କ ନିମନ୍ତେ ନଦୀପାର ହେବା ପାଇଁ ମୋଟୋରଚାଳିତ ବୋଟ ଓ ଲାଇଫ ଜ୍ୟାକେଟ ବ୍ୟବସ୍ଥା କରାଯାଇଥିଲା। ନଦୀକୂଳରେ ବ୍ୟାରିକେଟ ନିର୍ମାଣ ସହ ସମସ୍ଥ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା। ଏହି ଯାତ୍ରାରେ ମାଲାକନଗିରି ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ, କାଲିମେଳା, ମୋଟୁ, ମାଲକାନଗିରି ତହସିଲଦାର ଓ ବିଡିଓ,  ଅନ୍ୟାନ ଅଧିକାରୀ ଓ ଆଧ୍ୟାପକ, ରାଜନେତା, ଗ୍ରାମ ମୁଖିଆ, ପେଦା, ନାୟକ, ପୂଜାରିମାନେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ। ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାନ୍ୟମକୋଣ୍ଡାଠାରେ ପୂର୍ବରୁ ନିର୍ମିତ ବାଲସାଛପରରେ ସୁସଜ୍ଜିତ ବିମାନରେ ଥିବା ତିନି ଠାକୁର ଶ୍ରୀ କାନାମରାଜ, ଶ୍ରୀ ବାଲରାଜ୍‍, ଶ୍ରୀ ପୋତରାଜ୍‍ଙ୍କ ନିକଟରେ ପାର୍ଶ୍ୱଦେବୀ ଭାବେ ମୁତ୍ୟେଲୁମ୍ମାଙ୍କୁ ସ୍ଥାପିତ କରାଗଲାପରେ ମନ୍ୟମକୋଣ୍ଡା ମୁଖ୍ୟପୂଜାରି ସମସ୍ତ ଠାକୁରଙ୍କୁ ଶୁଦ୍ଧ ପବୀତ୍ର କରାଇ ଫୁଲ ଚନ୍ଦନ, ସିନ୍ଦୁର, କଜ୍ୱଳ ଲଗାଇ ବାଲ୍ୟଭୋଗ ନଡିଆ, କଦଳୀ, ଲିଆ, ଖଇ, ମୂଆଁ, ଫଳମୂଳ ଆଦି ନୈବଦ୍ୟ ଦେବାପରେ ମଧ୍ୟାହ୍ନରେ ଅନ୍ନଭୋଗ ଲଗାଇଥିଲେ। ପୂର୍ବ ପରମ୍ପରା ଓ ବିଧି ଅନୁସାରେ ମୁତ୍ୟେଲୁମ୍ମା (ଯାଜ୍ଞସେନୀ, ମାଁ ଦୁର୍ଗା) ଙ୍କ ନିକଟରେ ପ୍ରଥମ ରାଜ ଛାଗଳ ବଳି ପକାଇଥିଲେ। ତାପରେ ଭକ୍ତ ମାନଙ୍କର କୁକୁଡା, ମେଣ୍ଢା, ଛେଳି, ବତକ ବଳିପଡିଥିଲା। ଠାକୁର ଙ୍କ ରାତ୍ରରହଣିପରେ ମଙ୍ଗଳବାର ସକାଳୁ ଠାକୁରଙ୍କ ନିକଟରେ ବାଲ୍ୟଭୋଗ ସହ ପଶୁପକ୍ଷୀ ବଳି ପଡିବ। ଆଖପାଖ ଗାଁରୁ ଦେବାଦେବୀଙ୍କ ଝଣ୍ଡା ଓ ଲାଠି ଗୁଡିକୁ ସିରୁଆ, ପୂଜାରୀ, ଵାର୍ଡେ, ପେଦା ଓ ଭକ୍ତମାନେ କାନ୍ଧେଇ ନାଚି ନାଚି ଥିଲେ, ଆନ୍ଧ୍ର, ଛତିଶଗଡ ରାଜ୍ୟରୁ ଆସିଥିବା ଵାର୍ଡେ, ସିରୁଆ, ଗୁଣିଆ, ପୂଜାରୀ ମାନେ ସେମାନଙ୍କ କାଳିସୀନାଟର ପାରଦର୍ଶିତା ଦେଖାଇ, ଠାକୁରଙ୍କ ନିକଟରେ ମାନସିକ ଅନୁଯାଇ ବଳି ଦେଇପୂଜା କରିଥାନ୍ତି। ମାଲକାନଗିରିର ଥାଟରାଜା ଓ ସୁକୁମା ରାଜାଙ୍କ ଦାୟଦମାନେ ଠାକୁର ଓ ଠାକୁରାଣୀଙ୍କୁ ମାନ୍ୟମକୋଣ୍ଡା ଠାରେ ଆହ୍ୱାନ କରି ବଳିଭୋଗ ଲଗାଇ ମାଲକାନଗିରିକୁ ଆଗମନ କରିବା ପାଇଁ ନିମନ୍ତ୍ରଣ କରିଥାନ୍ତି। ଠାକୁର ଶ୍ରୀ କାନମରାଜ୍‍, ଶ୍ରୀ ବାଲରାଜ୍‍, ଶ୍ରୀ ପୋତରାଜ୍‍ଙ୍କ ନିକଟରେ ଶୁଦ୍ଧ ବାଲ୍ୟଭୋଗ ଦିଆଯାଉଥିବା ବେଳେ ମା ମୁତ୍ୟେଲୁମ୍ମା (ଦୁର୍ଗା) ଙ୍କ ନିକଟରେ ପଷୁପକ୍ଷୀବଳି ଭୋଗ ବଡଯାତ୍ରାର ବିଧି ଶହ ଶହ ବର୍ଷ ପୂର୍ବରୁ ଚାଲି ଆସିଛି। ପୂର୍ବରୁ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ରାଜ୍ୟର ସୀମାନ୍ତ ଅଞ୍ଚଳ ଦଣ୍ଡକାରଣ୍ୟ ନାମରେ ଖ୍ୟାତି ଥିଲା। ଲୋକକଥା ଅନୁସାରେ ଏଠାକୁ ରାମଚନ୍ଦ୍ର ବନବାସ ଆସିବା ସହ ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବନବାସର ସ୍ଥଳଥିଲା, ସେତେବେଳେ ଏହି ଘଞ୍ଚ ଦଣ୍ଡକାରଣ୍ୟ ଅଞ୍ଚଳରେ ବହୁ ପରାକ୍ରମୀ ରାକ୍ଷସ ଓ ରାକ୍ଷସୀଙ୍କ ବାସସ୍ଥାନ ପାଲଟି ଯାଇଥିଲା। ଏଠାରେ ସାଧୁ, ସନ୍ଥ, ମୁନିଋଷିମାନେ ତପସ୍ୟା କରିବାକୁ ଆସିଲେ। ସେମାନଙ୍କୁ ଏହି ରାକ୍ଷସ, ରାକ୍ଷସୀମାନେ ନାନା ପ୍ରକାର ହଇରାଣ କରିବା ସହିତ ସେମାନଙ୍କୁ ହତ୍ୟା କରି ଦେଉଥିଲେ। ଜରାସନ୍ଧ ନାମରେ ଜଣେ ବହୁ ପ୍ରତାପଶାଳୀ ଅସୁର ରାଜା ଏକଛତ୍ରବାଦ ଶାସନ କରି ପ୍ରଜାମାନଙ୍କୁ ହଇରାଣ କରୁଥିଲା। ସେ ସମଗ୍ର ପୃଥିବୀରେ ନିଜକୁ ଏକ ଚକ୍ରବର୍ତ୍ତୀ ସମ୍ରାଟ ଓ ଅମର ହେବାପାଇଁ ମୁତ୍ୟେଲୁମ୍ମା (ଦୁର୍ଗା) ଙ୍କୁ ଉପାସନ କରି ତାଙ୍କୁ ସନ୍ତୁଷ୍ଟ କରାଇ ଅମର ବରପାଇବା ଉଦ୍ଦ୍ୟେଶରେ ଲକ୍ଷେ ରାଜାଙ୍କୁ ପରାଜୟ କରି ସେମାନଙ୍କୁ ଠାକୁରାଣୀଙ୍କ ନିକଟରେ ବଳି ପକାଇବା ପାଇଁ ବନ୍ଦୀ କରି ରଖିଲେ। ଠିକ୍‍ ସେହି ସମୟରେ ରାଜା ପଣ୍ଡୁଙ୍କ ସ୍ୱର୍ଗାରୋହଣ ହେବାରୁ ତାଙ୍କ ଆତ୍ମାର ସଦ୍‍ଗତି ନିମନ୍ତେ ରାଜସ୍ୱୟ ଯଜ୍ଞର ଆବଶ୍ୟକତା ପଡିଲା, ଅନ୍ୟପଟେ ଅସୁର ରାଜା ଜରାସନ୍ଧ ଲକ୍ଷେ ରାଜାଙ୍କୁ ବଳି ପକାଇବା ପାଇଁ ବନ୍ଦୀ କରି ରଖିଥିବା ଘଟଣା ଶ୍ରୀକୃଷ୍ଣ ଓ ଧର୍ମରାଜ ଯୁଧିଷ୍ଠିର ଜାଣିପାରି ସେମାନଙ୍କୁ ମୁକ୍ତ କରିବାପାଇଁ ଦଣ୍ଡକାରଣ୍ୟକୁ ଛଦ୍ମବେଶରେ ଶ୍ରୀକୃଷ୍ଣ, ଅର୍ଜୁନ ଓ ଭୀମ ତିନି ଜଣ ଆସି ଜରାସନ୍ଧ ରାଜ୍ୟରେ ପହଞ୍ଚିଲେ। କୌଶଳ କ୍ରମେ ଭୀମ ଜରାସନ୍ଧଙ୍କୁ ବଦ୍ଧ କରିବାପରେ ବନ୍ଦୀ ଥିବା ଲକ୍ଷେ ରାଜାଙ୍କୁ ମୁକୁଳାଇ ନେଇ ଯିବାକୁ ବସିବାରୁ ଯାଜ୍ଞସେନୀ (ଦୁର୍ଗାମାତା) କୋପାଳନ ହୋଇ ମୋର ଯଜ୍ଞ ଭଣ୍ଡୁର କଲୁ ତୁମମାନଙ୍କୁ ଭସ୍ମ କରିଦେବି କହି ଅଭିଶାପ ଦେବାରୁ ଛଦ୍ମବେଶୀ ଶ୍ରୀକୃଷ୍ଣ, ଅର୍ଜୁନ, ଭୀମ ସଙ୍ଗେ ସଙ୍ଗେ ନିଜ ରୂପର ପରିପ୍ରକାଶ କରି ମାଁଙ୍କୁ ଆରାଧନା କଲେ, ମାଁ ସଂସାରରୁ ପାପନାଶନ ପାଇଁ ଆପଣଙ୍କ ଆଗମନ ହୋଇଛି, ଜରାସନ୍ଧ ଜଣେ ପାପୀ ଅସୁର ଥିଲା, ସେ ଲକ୍ଷେ ରାଜାଙ୍କୁ ହତ୍ୟାକରି ଅମର ହୋଇଥାନ୍ତା, ତୁମର ସତ୍ୟ ରକ୍ଷାକରି ଆମେ ନିଶ୍ଚିତ ଭାବେ ତୁମ ନିକଟରେ ଲକ୍ଷେ ବଳି ଭୋଗଦେବୁ, କିନ୍ତୁ ନରବଳି ବଦଳରେ ପଶୁ, ପକ୍ଷୀଙ୍କର ବଳି ପକାଇବୁ, ପ୍ରତି ବର୍ଷକ ଅନ୍ତରରେ ତୁମର ଆଡମ୍ୱର ଯାତ୍ରାହେବ। ସମସ୍ତ ଭକ୍ତ ତୁମକୁ ପୂଜାକରି ବଳି ଭୋଗ ଲଗାଇବେ କହିବାରୁ ମାଁ ଦୁର୍ଗା ଶାନ୍ତ ହୋଇ ରାଜାଙ୍କୁ ନେଇଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ଏହି ବଡ ଠାକୁରଙ୍କ ବଡଯାତ୍ରା ପାଳିତ ହୋଇ ଆସୁଛି। ମାଲ୍ୟବନ୍ତଗିରିର ଆଦିବାସୀମାନେ ଶ୍ରୀକୃଷ୍ଣଙ୍କୁ କାନମରାଜ, ଅର୍ଜୁନଙ୍କୁ ବାଲରାଜନ, ଭୀମଙ୍କୁ ପୋତରାଜ୍‍ନାମରେ ଓ ଯାଜ୍ଞଦେବୀ ଦୁର୍ଗାଙ୍କୁ ମୁତ୍ୟାଲୁମ୍ମା ନାମଙ୍କନ କରିପ୍ରତି ଦୁଇବର୍ଷରେ ଥରେ ମାଘ ପୂର୍ଣ୍ଣିମା ପରବର୍ତ୍ତୀ ମଙ୍ଗଳବାର ଦିନଠାରୁ ପୂଜାବିଧି ଆରମ୍ଭ ହୋଇ ଫାଲଗୁନ ପୂର୍ଣ୍ଣିମାରେ ଶେଷ ହୋଇଥାଏ। ଶ୍ରୀକୃଷ୍ଣ (କାନାମରାଜ), ଅର୍ଜୁନ (ବାଲରାଜ୍‍), ଭୀମ (ପୋତରାଜ୍‍)ଙ୍କୁ ବଡ ବିମାନରେ ସଜାଇ ଯାଜ୍ଞସେନୀ ଦୁର୍ଗା ମୁତ୍ୟାଲୁମ୍ମା ପାର୍ଶ୍ୱ ଦେବୀଭାବେ ସୁଦୁର ମାନ୍ୟମକୋଣ୍ଡା ଠାରୁ ପୂଜାରୀ, ଦିଶାରୀ, ସିରୁଆ, ଵାର୍ଡେ, ଗୁଣିଆ ମାନେ କାଳଶି ନାଟକରି ବିରାଟ ଶୋଭାଯାତ୍ରାରେ ଦୀର୍ଘ ୯ଦିନ ଧରି ଚାଲି ଚାଲି ବିଭିନ୍ନ ଗ୍ରାମରେ ଠାକୁରଙ୍କୁ ପୂଜା ଦେଇ ଶେଷରେ ମାଲକାନଗିରି ମା’ ମାଉଲିମା ପିଠରେ ଠାରେ ପହଞ୍ଚିଥାନ୍ତି। ତିନି ଠାକୁରଙ୍କ ନିକଟରେ ନଡିଆ, କଦଳୀ, ଫଳମୂଳ, ଲିଆ, ମୂଆଁ ଭୋଗ ଲଗାଯାଉଥିବା ବେଳେ ମୁତ୍ୟାଲୁମ୍ମା (ଦୁର୍ଗା)ଙ୍କ ନିକଟରେ ପ୍ରତି ପାହୁଣ୍ଡରେ କୁକୁଡା, ଛେଳି, ବତକ ବଳି ପକାଯାଇଥାଏ, ଏହି ଆଦିବାସୀ ଙ୍କ ମହାନ ଧାର୍ମୀକ ପରମ୍ପରାର ବଡଯାତ୍ରାରେ ଓଡ଼ିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ।