ହରିଚନ୍ଦନପୁର,ତା ୧୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଦିବାସୀଙ୍କୁ ମେଡିକାଲ ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ବଦଳରେ ପୋଲିସ ଅଭିଯୋଗକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ଘଟଣା । ଖବର ଅନୁଯାୟୀ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଗତ ଜୁଲାଇ ୧୦ ତାରିଖ ଶନିବାର ସ୍ବାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ଚିକିତ୍ସା ଅଧିକାରୀ ମୁକ୍ତିକାନ୍ତ ନାୟକଙ୍କୁ ଅବଗତ କରାଇଥିଲେ । ହେଲେ ସମାଧାନ ବାଟ ଛାଡ଼ି କିଛି କଥା ନଶୁଣି ସେମାନଙ୍କୁ ଦୁର୍ବ୍ୟବହାର କରି ଜାତିଆଣ ଆକ୍ଷେପ କରାଯାଇଥିଲା । ଯାହାକୁ ନେଇ କାର୍ଯ୍ୟାଳୟ ମଧ୍ୟରେ ଅଧିକାରୀଙ୍କ ସହ ବିପିଓଙ୍କୁ ଅଟକ ରଖିଥିଲେ । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଓ ଘଟଗାଁ ନୂତନ ଏସଡିପିଓ ଅସିତ ରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଯୁବଗୋଷ୍ଠୀଙ୍କୁ ବୁଝାସୁଝା କରିବା ସହ ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବାର ପ୍ରତିଶୃତି ଦେବାପରେ ଯୁବଗୋଷ୍ଠୀ ଅଧିକାରୀଙ୍କୁ ଛାଡିଥିଲେ । ଦୁର୍ବ୍ୟବହାର ଘଟଣାକୁ ନେଇ ଅଧିକାରୀଙ୍କ ନାମରେ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା, ହେଲେ ଅଭିଯୋଗ ନରଖିବା କାରଣରୁ ପରେ ଅନଲାଇନ୍ ହରିଚନ୍ଦନପୁର ପୋଲିସ ଓ ଲିଖିତ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀରେ ଅଭିଯୋଗ କରାଯାଇଥିଲା । ନ୍ୟାୟ ପାଇଁ ବିଭିନ୍ନ ଅଭିଯୋଗ ପରେ ମଧ୍ୟ ଘଟଣାର କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି । ଗତ ବୁଧବାର ସକାଳ ସମୟରେ ଅଭିଯୋଗକାରୀ ପ୍ରେମ୍ ପ୍ରକାଶ ମୁଣ୍ଡା, ଲକ୍ଷ୍ମୀଧର ମହାରଣା ଓ ଜ୍ଞାନ ରଞ୍ଜନ ମହାନ୍ତଙ୍କୁ ପୋଲିସ କିଛି ନ ଜଣାଇ ଘରୁ ଉଠାଇ ନେଇ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପ୍ରେମ ପ୍ରକାଶ ନ୍ୟାୟ ଆଶରେ ଗଣମାଧ୍ୟମ ସମ୍ମୁଖରେ ଘଟଣା ପ୍ରକାଶ କରିଛନ୍ତି । ଏଥିସହ ୭ ଦିନ ମଧ୍ୟରେ ଯଦି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଓ ନ୍ୟାୟ ନମିଳେ, ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଉହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି ।