Odiapua.com

        ପୋଲିସ ଅଧସ୍ତନ କର୍ମଚାରୀ ଉପରେ ଜୁଲୁମ ଅଭିଯୋଗ, ଦୁଇ ସସପେଣ୍ଡ

କଳାହାଣ୍ଡି ତା.୨୩.୦୪.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରିଜର୍ଭ ପୋଲିସ ବ୍ୟାରେକରେ କାର୍ଯ୍ୟରତ ଜଣେ ଜବାନ ଉପରେ ସରଜେଂଟ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ରିଜର୍ଭ ପୋଲିସରେ କାର୍ଯ୍ୟରତ ଓଏସଏପି ଜବାନ ଜଗବନ୍ଧୁମାଝୀଙ୍କୁ ରିଜର୍ଭ ପୋଲିସ ସରଜେଂଟ ଖଗେଶ୍ୱର ବିଶ୍ୱାଳ ନିସ୍ତୁକ ମାଡ ମାରିବା ଯୋଗୁଁ ଲହୁଲୁହାଣ ଅବସ୍ଥାରେ ଜଗବନ୍ଧୁ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଗତ ୨୦ ତାରିଖ ରାତ୍ର ଦଶ ଟା ସମୟରେ ସରଜେଂଟ ଖଗେଶ୍ୱର ବିଶ୍ୱାଳ ଫୋନ ମାଧ୍ୟମରେ ଜବାନ ଜଗବନ୍ଧୁ ମାଝୀଙ୍କୁ କୌଣସି ଏକ କାମ କରିଦେବା ପାଇଁ ଡକାଇଥିଲେ । ଜଗବନ୍ଧୁ ଦିନସାରା କାମ କରି ଥକିପଡିଥିବା ଦର୍ଶାଇ ସକାଳେ ଉକ୍ତ କାମ କରିଦେବାକୁ ଜଣାଇଥିଲେ । ସେଥିରେ ସରଜେଂଟ ଉତ୍ୟକ୍ତ ହୋଇଯାଇ ଗାଳି ଗୁଲଜ କରିବା ସହିତ ଉଭ୍ୟଙ୍କ ମଧୟରେ ବଚସା ହୋଇଥିବା ପ୍ରକାଶ । ସେଥିରେ ଉତକ୍ଷିପ୍ତ ସରଜେଂଟ ବିଶ୍ୱାଳ ଓ ଅନ୍ୟ ଦୁଇଜଣ ସହଯୋଗୀ ମିଶି ଜଗବନ୍ଧୁ ଶୋଇଥିବା ଖଟ ରେ ବ୍ୟବହୃତ ମଶାରୀ ପାଇପ ସାହାଯ୍ୟରେ ଜଗବନ୍ଧୁକୁ ନିର୍ଧୁମ ମାଡ ମାରିଥିବା ଯୋଗୁଁ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହିତ କାନରୁ ନାକରୁ ରକ୍ତସ୍ରାବ ହୋଇଥିବା ଅଭିଯୋଗ ହୋଇଛି । ଜବାନ ଜଗବନ୍ଧୁ ମାଝୀ କୋରାପୁଟ ବାସିନ୍ଦା ହୋଇଥିବା ବେଳେ ଓଏପିଏଫ ଜବାନ ଭାବେ ଚାକିରୀ ପାଇବା ପରେ ବିଜେପୁର ଠାରେ କାର୍ଯ୍ୟରତ ଅଛନ୍ତି । ମିସ୍ତ୍ରୀ କାମ ଜାଣିଥିବା ହେତୁ ତାଙ୍କୁ ଭବାନୀପାଟଣା ଅଣାଯାଇ ରିଜର୍ଭ ପୋଲିସ ବାରେକରେ ଅବସ୍ଥାପିତ କରାଯାଇଥିବା କୁହାଯାଉଛି ।
ଆଘାତପ୍ରାପ୍ତ ଜଗବନ୍ଧୁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ଏନେଇ ତଦନ୍ତ କରାଯାଇ ଉଭୟଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ସସପେଣ୍ଡ କରାଯାଇଛି   ଏବଂ ବିଭାଗୀୟ ପ୍ରୋସିଡିଂ କରାଯିବ ବୋଲି  କଳାହାଣ୍ଡି ଏସପି ଡଃ ଶବଣ ବିବେକ ଗଣମାଧ୍ୟମକୁ କହିଛନ୍ତି ।