Odiapua.com

ପୋଲିସ୍ ପେଟ୍ରୋଲିଙ୍ଗ ବ୍ୟାପକ………… କର୍ତ୍ତବ୍ୟରେ ବାଧା ଦେଇ ୨ ଯୁବକ ଗିରଫ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୩-ନୟାଗଡ ଜିଲ୍ଲା ରଣପୁର ଥାନା କୋଟଗଡ ଘାଟିରେ ଅନେକ ସମୟରେ ରାତ୍ରିରେ ଲୁଟ୍‌ତରାଜ ହୋଇଥାଏ । ଗତ ମାର୍ଚ୍ଚ ୩ ତାରିଖ ରାତ୍ରିରେ ରଣପୁର ଥାନା ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ମଦ ପିଇ ପୋଲିସ୍ କୁ ଗାଳି ଗୁଲଜ କରି କର୍ତ୍ତବ୍ୟରେ ବାଧା ଉପୁଜାଇବା ଅଭିଯୋଗରେ ଦୁଇ ଯୁବକ ଜେଲ୍ ଯାଇଥିବା ଜଣା ପଡିିଛି । ରଣପୁର ଥାନା କୋଟଗଡ ଘାଟିରେ ବେଳେ ବେଳେ ଲୁଟେରା ମାନେ ରାତ୍ରିରେ ଯାତାୟତ କରୁଥିବା ଲୋକଙ୍କୁ ଅଟକାଇ ଲୁଟ୍‌ତରାଜ କରିଥାନ୍ତି । ତେଣୁ ରଣପୁର ଥାନା  ସବ୍ ଇନିସ୍‌ପେକ୍ଟର ବିଦିତା ନାୟକ ଓ ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ  ଗତ ୩ ତାରିଖ ରାତ୍ରିରେ କୋଟଗଡ ଘାଟିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମା ଖିଲାମୁଣ୍ଡାଙ୍କ ନିକଟରେ ଦୁଇଜଣ ଯୁବକ ମଦ୍ୟପାନ କରୁଥିଲେ ।

ପୋଲିସ୍ ସେମାନଙ୍କୁ ଧରିବାକୁ ଚେଷ୍ଟା କରି ସେମାନଙ୍କ ମୋଟର ସାଇକେଲ୍ କୁ ଜବତ କରିବା ସମୟରେ ପୋଲିସ୍ କୁ ଗାଳି ଗୁଲଜ କରି ସବ୍ ଇନିସ୍‌ପେକ୍ଟର ବିଦିତା ନାୟକଙ୍କ ହାତକୁ ମୋଡି ଦେଇଥିଲେ । କିନ୍ତୁ ପୋଲିସ୍ ଦୁଇଜଣଙ୍କୁ ଅଟକାଇ ସେମାନଙ୍କ ମୋଟର ସାଇକେଲ୍ ସହ ରଣପୁର ଥାନାକୁ ଆଣିଥିଲେ । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ କରାଯାଇଥିବା ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧ ଜିଲ୍ଲା ବେଗୁନିଆ ଥାନା ବାୟାପଲ୍ଲୀ ଗ୍ରାମର ନିଳାଂଚଳ ରାଜଗୁରୁ ଓ ସୁଶାନ୍ତ ନାୟକ । ତାଙ୍କ ଜାମିନ୍ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ରଣପୁର ଥାନାରେ କର୍ମଚାରୀ ଅଭାବ ସାଙ୍ଗକୁ ଏବଂ ନିଯୁକ୍ତ ଥିବା ଫୋର୍ସଙ୍କୁ ଜିଲ୍ଲାକୁ ଫେରାଇ ନିଆଯାଇଥିବାରୁ ରଣପୁର ପୋଲିସ୍ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଆଲୋଚନା ହେଉଛି । ରଣପୁର ଥାନା ଏକ ସମ୍ବେଦନଶୀଳ ଥାନା ହୋଇଥିବାରୁ ଏଠାରେ ଫୋର୍ସ ବିନିଯୁକ୍ତ ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।