Odiapua.com

ପୋଲିଓ ଭ୍ୟାକ୍ସିନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ, ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ସହ ବାପା, ମା’ଙ୍କ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେହ ଅସୁସ୍ଥ ଥିବା କହିବା ସତ୍ତ୍ୱେ ଭଣ୍ଡାରିପୋଖରୀ ବ୍ଳକ ନଗୁଆଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ତାଙ୍କ ୬ମାସର ଶିଶୁପୁତ୍ର ଶଶୀକାନ୍ତକୁ ପୋଲିଓ ଭେକ୍ସିନ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଶିଶୁପୁତ୍ରର ଅବସ୍ଥା ଅଧିକ ଖରାପ ହେବାରୁ ବାପା, ମା’ ତାକୁ ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଜିଲ୍ଲା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଶିଶୁପୁତ୍ରକୁ କଟକ ସ୍ଥ।।ନ୍ତର କରାଯାଇଥିଲା । କିନ୍ତୁ ବାଟରେ ତା’ର ମୃତ୍ୟୁ ଘଟିଥିଲା । ସ୍ୱାସ୍ଥ୍ୟ ବିଭାଗର ଖମଖିଆଲି ନୀତି ପାଇଁ ତାଙ୍କ ଶିଶୁପୁତ୍ରର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରି ନ୍ୟାୟ ପାଇବା ଦାବିରେ ମୃତ ଶିଶୁର ବାପା, ମା’ଙ୍କ ସମେତ ବହୁ ଗ୍ରାମବାସୀ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅତିରିକ୍ତ ଏସପି ଯତିନ ପଣ୍ଡା ଧାରଣାରତ ବାପା ମା’ଙ୍କ ସହ ଆଲୋଚନା କରି ଆବଶ୍ୟକ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ନଗୁଆଁ ଗ୍ରାମର ବିକାଶ ଯେନାଙ୍କ ଅଭିଯୋଗ ଅନୁଯାୟୀ ଗତ ସେପ୍ଟେମ୍ବର ମାସ ୧୬ ତାରିଖ ତାଙ୍କ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ପୋଲିଓ ଟୀକାଦାନ ଶିବିର ଆୟୋଜିତ ହୋଇଥିଲା ।

ସ୍ଥାନୀୟ ଆଶାକର୍ମୀ ରଜନୀରାଣୀ ବାରିକ ପୋଲିଓ ନେବା ପାଇଁ ତାଙ୍କୁ କହିଥିଲେ । ସେହି ଅନୁଯ।।ୟୀ ଉକ୍ତ ଶିବିରରେ ପହଞ୍ଚିବା ପରେ ବିଭାଗୀୟ ସେବିକା ଭେକ୍ସିନ ଦେଇଥିଲେ । କିନ୍ତୁ ଭେକ୍ସିନ ନେବା ପରେ ୬ମାସର ପୁତ୍ରର ଅବସ୍ଥା ଖରାପ ହେବାକୁ ଲାଗିଲା । ଏ ସମ୍ପର୍କରେ ସଂପୃକ୍ତ ଆଶା କର୍ମୀ ଓ ସେବିକାଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ସେମାନେ କୌଣସି ଚିକିତ୍ସା ସେବା କରିବା ପରିବର୍ତ୍ତେ ବିରକ୍ତ ହୋଇ ଗାଲି ଗୁଲଜ କରିଥିବା ବିକାଶ ଅଭିଯୋଗ କରିଛନ୍ତି । ତେଣୁ ସେ ବାଧ୍ୟ ହୋଇ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ଚିକିତ୍ସାଳୟ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ । ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଫଳରେ କଟକ ଯିବା ବାଟରେ ତାଙ୍କ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ବିକାଶ ପୁଲିସ, ସିଡିଏମଓ, ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରି ବିଫଳ ହେବା ପରେ ଆଜି କର୍ତ୍ତବ୍ୟରେ ଅବହେଳା କରିଥିବା ବିଭଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ କହିଥିଲେ । ସେହି ଅନୁଯାୟୀ ଆଶୀର୍ବାଦ ନାରୀ ସୁରକ୍ଷା ସଂଗଠନର ନେତ୍ରୀ ମଞ୍ଜୁଲତା ସ୍ୱାଇଁଙ୍କ ନେତୃତ୍ୱରେ ଧାରଣାରେ ବସିଥିଲେ । ଅପରପକ୍ଷେ ଏସଡିପିଓ ତାଙ୍କ ଘରକୁ ଯାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ନଦେବାକୁ ଧମକ ଦେଇଥିବା ମଧ୍ୟ ସେ ଗଣମାଧ୍ୟମକୁ କହିଛନ୍ତି । ତେବେ ଅତିରିକ୍ତ ଏସପି ଯତିନ ପଣ୍ଡା ଧାରଣାରତ ବିକାଶଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।