Odiapua.com

ପୋଖରୀରେ ପଡ଼ି ଯୁବକଙ୍କ ମୃତ୍ୟୁ

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଂଚାୟତ ଅଧୀନ ବାଉଁଶବାଗ ଗ୍ରାମର ଆଦିକନ୍ଦ ସାହୁଙ୍କ ପୁଅ ସୁବାସ ଚନ୍ଦ୍ର ସାହୁ (୪୦)ଙ୍କ ମୃତଦେହକୁ ଆଜି ସକାଳେ ଗ୍ରାମର ମହାଦେବ ପୋଖରୀରୁ ଉଦ୍ଧାର କରାଯାଇଛି। ପ୍ରକଶ ଯେ ଗତ ୧୭ ତାରିଖ ରାତିରେ ସୁବାସ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ। କିଛି ସମୟ ପରେ ସେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ। ତେବେ ମହାଦେବ ପୋଖରୀ କୂଳରେ ତାଙ୍କର ଜୋତା ଏବଂ ପ୍ୟାଂଟ ସାର୍ଟ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତେବେ ସେ ପୋଖରୀରେ ପଡ଼ିଯାଇଥିବା ସନ୍ଦେହ କରି ଖୋଜାଖୋଜି କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଗତକାଲି ସକାଳେ ଦମକଳ ବାହିନୀ ପୋଖରୀ ନିକଟରେ ପହଂଚି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଦମକଳବାହିନୀ ଘଟଣା ସ୍ଥଳରେ ପହଂଚି ଶବକୁ ପୋଖରୀରୁ ଉଦ୍ଧାର କରିଥିଲେ। ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।