Odiapua.com

ପୋଖରୀକୁ ଡେଇଁ ଯୁବକର ମୃତ୍ୟୁ ଘଟଣା, ଟାୟାର ଜାଳି ଅଲ୍ଲିନଗର ଠାରେ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ, ପୋଲିସ୍ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧିନ ନୂଆନନ୍ଦ ପଞ୍ଚାୟତ ହାଟୁଆରୀ ଗ୍ରାମର ବାପି ମହାଳିକ (୧୮) ନାମକ ଜଣେ ଭିନ୍ନକ୍ଷମ ଯୁବକ ଏକ ଦଳପୋଖରୀକୁ ଡେଇଁ ମୃତ୍ୟୁ ହେବା ଘଟଣାକୁ ନେଇ ଆଜି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗର ଛକଠାରେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ପୋଲିସ୍ ଗାଡ଼ିକୁ ଜାଳି ଦେଇଥିଲେ । ଏଥିସହିତ ପୋଲିସ୍ ଗାଡ଼ିରେ ଥିବା ବିମ୍ବାଧର ମୁର୍ମୁ ନାମକ ଜଣେ କନେଷ୍ଟବଳକୁ ମାଡ଼ ମାରିଥିଲେ । ଫଳରେ ବିମ୍ବାଧରଙ୍କର ଗୋଡ଼ ଭାଙ୍ଗିଯାଇଥିବା ଜଣାଯାଇଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଆଜି ତିହିଡ଼ି ପୋଲିସ୍ ଜଣେ କୋଇଲା ଚୋରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିଝାରପୁର ଗ୍ରାମକୁ ଯାଇଥିଲେ । ଏହି ସମୟରେ ହାଟୁଆରୀ ଗ୍ରାମର ବାପି ମହାଳିକ ଜିଝାରପୁର ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ଖାଉଥିଲେ । ପୋଲିସ୍‌କୁ ଦେଖିଲାକ୍ଷଣି ସେ ଭୟଭୀତ ହୋଇ ଦୌଡ଼ି ଦୌଡ଼ି ନିକଟରେ ଥିବା ଏକ ଦଳ ପୋଖରୀକୁ ଡେଇଁ ପଡ଼ିଥିଲେ । ପୋଲିସ୍ ତାକୁ ଉଦ୍ଧାର କରିବା ପାଇଁ ଦଳ ପୋଖରୀରେ ପଶି ଖୋଜାଖୋଜି କରିଥିଲେ । ମାତ୍ର ବାପି ମହାଳିକଙ୍କୁ ପାଇନଥିଲେ । ପରେ ତିହିଡ଼ି ଦମକଳ ବାହିନୀକି ପୋଲିସ୍ ଖବର ଦେଇଥିଲେ । ଦମକଳବାହିନୀ ସେଠାରେ ପହଞ୍ôଚô ବାପି ମହାଳିକର ମୃତ ଦେହ ଉଦ୍ଧାର କରିଥିଲେ । ଏଥିରେ ବାପି ମହାଳିକର ପରିବାର ଲୋକ ବାପିକୁ ପୋଲିସ୍ ଧରିବାକୁ ଯାଇଥିବାରୁ ସେ ପୋଖରୀକୁ ଡେଇଁ ପଡ଼ିଥିବା ଅଭିଯୋଗ କରି ସ୍ଥାନୀୟ ଉତ୍ତ୍ୟକ୍ତ ଲୋକଙ୍କ ସହିତ ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗରଠାରେ ବାପିର ମୃତ ଦେହକୁ ରଖି ଟାୟାର ଜାଳି ୩-୪ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ପୀରାହାଟ ଥାନାର ଏକ ପୋଲିସ୍ ଗାଡ଼ିରେ କନେଷ୍ଟବଳ ବିମ୍ବାଧର ମୁର୍ମୁ ୨ଜଣ ଅଭିଯୁକ୍ତଙ୍କୁ ନେଇ ଭଦ୍ରକ କୋର୍ଟକୁ ଯାଉଥିଲେ ।

ଅଲ୍ଲିନଗର ଛକଠାରେ ଉପସ୍ଥିତ ଥିବା ଉତ୍ତ୍ୟକ୍ତ ଲୋକମାନେ ପୋଲିସ୍ ଗାଡ଼ିକୁ ଦେଖି ପୋଲିସ୍ ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ ଓ ଗାଡ଼ିରେ ଥିବା କନେଷ୍ଟବଳ ବିମ୍ବାଧରଙ୍କୁ ମାଡ଼ ମାରିଥିଲେ । ଫଳରେ ବିମ୍ବାଧରର ଗୋଡ଼ ଭାଙ୍ଗି ଯାଇଥିଲା । ଏହି ସୁଯୋଗରେ ଗାଡ଼ିରେ ଥିବା ଅଭିଯୁକ୍ତ ଖସି ପଳାଇ ଯାଇଥିଲେ । ଏ ସମ୍ପର୍କରେ ଖବରପାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ୍ ପଣ୍ଡା, ତହସିଲଦାର ରମେଶ ପଣ୍ଡା, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବ୍ଲକଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ଚାନ୍ଦବାଲି ଏସ୍‌ଡିପିଓ ଉମାଶଙ୍କର ମହାରଣା, ତିହିଡ଼ି ଥାନା ଅଧିକାରୀ ରମେଶ ସିଂ, ଇନିସ୍‌ପେକ୍ଟର ତପନ ପ୍ରଧାନ, ଏଏସ୍‌ଆଇ କୈଳାସ ଖୁଣ୍ଟିଆ ଓ ସୁନୀତା ହେମ୍ବ୍ରମ୍ ପ୍ରମୁଖଙ୍କ ସହିତ ଚାନ୍ଦବାଲି ଥାନା ଅଧିକାରିଣୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ, ପୋଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ସ୍ଥାନୀୟ ଭଦ୍ରବ୍ୟକ୍ତି ପ୍ରତାପ ବିଶ୍ୱାଳ, ସମିତିସଭ୍ୟ ଦାଶରଥି ମହାପାତ୍ର, ପୂର୍ବତନ ସମବାୟ ସମିତି ସଭାପତି ସୁଧ୍ୱନା ନାୟକ, ସରପଞ୍ଚ ଶରତ ମଳିକ, ସରପଞ୍ଚ ପ୍ରଦୀପ ପଣ୍ଡା, ସମିତିସଭ୍ୟ ସଂଗ୍ରାମ ଦାସ, ନୁଆନନ୍ଦ ପଞ୍ଚାୟତ ଯୁବ-ବିଜେଡି ସଭାପତି ଅମର ମଳିକ, ମଣ୍ଟୁ ଜେନା ପ୍ରମୁଖଙ୍କୁ ନେଇ ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ପାଣିରେ ବୁଡ଼ିଯାଇଥିବାରୁ ସରକାରୀ ସହାୟତା ପାଇଁ ପଦକ୍ଷେପ ନିଆଯିବା ସଙ୍ଗେ ସଙ୍ଗେ କେଉଁ କାରଣ ପାଇଁ ବାପିର ମୃତ୍ୟୁ ହେଲା ସେ ସମ୍ପର୍କରେ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଏହି ନିଷ୍ପତ୍ତି ପରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଥିଲା ଏବଂ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଥିଲା ।