Odiapua.com

ପୌରାଂଚଳରେ ଅତ୍ୟଧିକ ଗୃହ ଟିକସ ବୃଦ୍ଧିକୁ ବିରୋଧ କଲା ବିଜେପି

ତାଳଚେର, ୧୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୌରାଂଚଳରେ ନୂତନ ଭାବରେ ମୂଲ୍ୟାୟନ ହୋଇଥିବା ଗୃହ ଟିକସକୁ ବିରୋଧ କରି ତାଳଚେର ପୌରମଣ୍ଡଳ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଏହାର ନକଲ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ନିର୍ଦ୍ଦେଶକ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରେରଣ କରିଛନ୍ତି। ପ୍ରକାଶ ଥାଉକି, ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ମୂଲ୍ୟାୟନ ସଂସ୍ଥା ଦ୍ୱାରା ତାଳଚେର ପୌରାଂଚଳରେ ବାସ କରୁଥିବା ଜନସାଧାରଣଙ୍କ ପାଇଁ ମୂଲ୍ୟାୟନ ହୋଇଥିବା ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ବୋଲି ବିଜେପି ତରଫରୁ ଦାବି କରାଯାଉଛି। ପୂର୍ବରୁ ଦିଆଯାଉଥିବା ଗୃହ ଟିକସ ଠାରୁ ନୂତନ ଭାବେ ମୂଲ୍ୟାୟନ ହୋଇଥିବା ଗୃହ ଟିକସ ଆକାଶଛୁଆଁ ଦର କରାଯାଇଛି। ଯାହାକି ପୌରାଂଚଳରେ ବାସ କରୁଥିବା କୌଣସି ବି ଅଧିବାସୀ ଏହି ଟିକସ ଦେବା ସକ୍ଷମ ନୁହେଁ। ତାଳଚେର ପୌରାଂଚଳ ଅଧାରୁ ଅଧିକ ୱାର୍ଡ ବସ୍ତି ଅଂଚଳ ହୋଇଥିବା ସ୍ଥଳେ ମୂଲ୍ୟାୟନ ହୋଇଥିବା ଜମିର ମୂଲ୍ୟ ଅତ୍ୟଧିକ ଦର ପକାଇ ଏବଂ ପୌର ପରିଷଦ ତରଫରୁ ପାଇଖାନା ବ୍ୟବସ୍ଥା ଓ ପାନୀୟ ଜଳଯୋଗାଣକୁ ମିଶାଇ ଟିକସର ମୂଲ୍ୟାୟନ କରାଯାଇଛି। ଏପରିକି ଗୃହ ନଥିବା ସ୍ଥାନରେ ମଧ୍ୟ ଗୃହ ଟିକସ ମୂଲ୍ୟାୟନ ହୋଇଅଛି। ଯାହାକି ସମ୍ପୁର୍ଣ୍ଣ ଅନ୍ୟାୟ ଓ ତୃଟିପୂର୍ଣ୍ଣ ଅଟେ ବୋଲି ବିଜେପି ତରଫରୁ କୁହାଯାଇଛି। ମହାମାରୀ କରୋନା ପରି ମହାବିପତି ସମୟରେ ଲୋକମାନଙ୍କର ରୋଜଗାର ସଂସ୍ଥା ଠପ୍ ହୋଇ ଯାଇଥିବା ସ୍ଥଳେ ବୋଝ ଉପରେ ଲଳିତା ବିଡା ପରି ଆକାଶଛୁଆଁ ଗୃହ ଟିକସ ମୂଲ୍ୟାୟନ ତାଳଚେର ପୌରବାସୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି ବୋଲି ପ୍ରକାଶ କରାଯାଇଛି। ଏହି ମନଇଛା ମୂଲ୍ୟାୟନ ଟିକସକୁ ପ୍ରତ୍ୟାହାର କରାଯାଇ ନୂତନ ଭାବରେ ଟିକସକୁ ସଂଶୋଧନ କରାଯାଉ ବୋଲି ବିଜେପି ତରଫରୁ ଦାବି ହୋଇଛି ନଚେତ୍ ଆଗାମୀ ଦିନରେ ବିଜେପି ତାଳଚେର ପୌରମଣ୍ଡଳ ତରଫରୁ ଏଥି ନିମନ୍ତେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପୌରମଣ୍ଡଳ ସଭାପତି ଯଶୋବନ୍ତ ଦାସ, ଯଯାତି ପଟ୍ଟନାୟକ, ଜିତେନ୍ଦ୍ର କୁମାର ଦାସ୍‌, ଦୟା ସାଗର ମିଶ୍ର, ସୁକାନ୍ତ ରାୟ ଓ ଅରବିନ୍ଦ ମିଶ୍ର ପ୍ରମୁଖ ଉପସ୍ଥିିତ ଥିଲେ।