Odiapua.com

ପେନସନ, ମହଙ୍ଗା ଭତ୍ତା ଓ ସରକାରୀ ସ୍ୱାସ୍ଥ୍ୟ ବୀମା ପାଇଁ ସଂସଦ ଅଧିବେଶନରେ ସାଂସଦ ଦାବି ରଖିଲେ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସଦ ଅଧିବେଶନରେ ଧାରା ୩୭୭ ମୂଳେ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କୁ ଓଡ଼ିଶାରେ ରହୁଥିବା ୨ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କର (ଇପିଏଫ୍ ୯୫) ଅନୁସାରେ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ସହିତ ମହଙ୍ଗା ଭତ୍ତା ପ୍ରଦାନ ଓ ସରକାରୀ ସ୍ୱାସ୍ଥ୍ୟ ବୀମା ପାଇଁ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଦାବି ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଓଡ଼ିଶାରେ ରହୁଥିବା ପ୍ରାୟ ୨ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି (ଇପିଏଫ୍ ୯୫) ମାସିକ ମାତ୍ର ୫ ଶହରୁ ୩୫ ଶହ, ଏକ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଉଛନ୍ତି । ଯାହାଫଳରେ ସେମାନଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇ ଆଜିର ଦିନରେ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି । ଏଥିନେଇ ସେମାନଙ୍କର ଏହି ଦାବିକୁ ସେମାନେ ଦୀର୍ଘଦିନ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କୁ ଅନେକବାର ଅନୁରୋଧ କରିଛନ୍ତି । ଯାହା ସଂସଦୀୟ କମିଟି ଦ୍ୱାରା ସୁପାରିଶ ହୋଇ ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି । ଏହି ଦାବି ନେଇ ଗତ କିଛିଦିନ ତଳେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କୁ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ, ଭଦ୍ରକ ଶାଖା ପକ୍ଷରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ମୂଳେ ସଂସଦ ଅଧିବେଶନରେ ସାଂସଦ ଶ୍ରୀମତୀ ମଣ୍ଡଳ ସେମାନଙ୍କ ପାଇଁ ଉକ୍ତ ଦାବି ରଖିଛନ୍ତି ।