Odiapua.com

ପେନସନ ଟଙ୍କାରେ ନିର୍ମାଣ କରିଥିଲେ ପୋଲ ଏବେ କଲେ ସଂଯୋଗୀ କରଣ ରାସ୍ତା

ହାଟଡିହି -୧୯/୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ନିଜ ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଭାରତବର୍ଷରେ ଚର୍ଚ୍ଚାର ପରିସରକୁ ଆସିଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗ୍ରାମର ଗଙ୍ଗାଧର ରାଉତ ଏବେ ପୁଣି ସେହି ପେନସନ ଟଙ୍କାରେ ପୋଲ ନିକଟକୁ ସଂଯୋଗୀ କରଣ କଂକ୍ରିଟ ରାସ୍ତା ନିର୍ମାଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ‘ମିଶୁମୋର ଦେହ ଏଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ଗୋପବନ୍ଧୁଙ୍କ ଏହି ଉକ୍ତି କୁ ଅକ୍ଷରେ ଅକ୍ଷରେ ପାଳନକରି ଗଙ୍ଗାଧର ଅଞ୍ଚଳବାସୀଙ୍କ ପାଇଁ ମିଶୁ ମୋର ଦେହ ଏଦେଶ ମାଟିରେ, ଗ୍ରାମବାସୀ ଚାଲି ଯାଆନ୍ତୁ ପିଠିରେ ବୋଲି କହିବା ସହ ୨୫କ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରି ପୋଲ ଓ ରାସ୍ତା ନିର୍ମାଣ କରିଛନ୍ତି । ଗତବର୍ଷ ମେ ମାସରେ ଏହି ପିଉସା ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକର୍ପଣ କରିଥିଲେ । କିନ୍ତୁ ବର୍ଷାଧିକାଳ ବିତି ଗଲାପରେ ମଧ୍ୟ ଏହି ସେତୁ ପର୍ଯ୍ୟନ୍ତ ସଂଯୋଗୀ କରଣ ରାସ୍ତା ନିର୍ମାଣ ହୋଇ ପାରିଲାନି । ଗ୍ରାମବାସୀମାନେ ଏନେଇ ପ୍ରଶାସନ ଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ଏଥିପ୍ରତି ଗୁରୁତ୍ୱ ଦେଲେନି । ଯାହାଦ୍ୱାରା ପୋଲ ନିର୍ମାଣ ହେଲେବି ଏହାକୁ ଲୋକମାନେ ବ୍ୟବହାର କରିପାରି ନଥିଲେ । ସୋସୋ, କାନପୁର, ଦନେଇପୁର ଆଦି ଗାଁର ଲୋକମାନେ ଚାଷଜମିକୁ ଯାତାୟତ କ୍ଷେତ୍ରରେ ନାନା ଅସୁବିଧା ଭୋଗିଲେ । ପୋଲ ନିର୍ମାଣ କରି ଯଦି ଲୋକମାନେ ଯିବା ଆସିବା କରିନପାରିବେ ତେବେ ପୋଲ ନିର୍ମାଣ କରି ଲାଭ ବା କଣ । ଏହାକୁ ନେଇ ଗଙ୍ଗାଧର ବାବୁ ମାନସିକ ଅଶାନ୍ତିରେ ଥିବାବେଳେ ତାଙ୍କ ପରିବାର ଲୋକମାନେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ଝିଅ ଶୈଳବାଳା, ସାନଝିଅ ଗିରିବାଳା, ବଡପୁଅ ଜ୍ଞାନ ମନୋରଞ୍ଜନ, ସାନପୁଅ ରଶ୍ମୀରଞ୍ଜନ, ବଡବୋହୁ ପ୍ରୀୟଙ୍କା, ସାନବୋହୁ ରଶ୍ମିତା, ପୁତୁରା ଦେବାଶିଷ, ଝିଆର ଦେବସ୍ମିତା, ପ୍ରମୁଖ ତାଙ୍କ ସହାୟତା ଯୋଗାଇ ଦେବାକୁ ଆଗଇ ଆସିବାରୁ ଗଙ୍ଗାଧର ପୁନର୍ବାର ରାସ୍ତା ନିର୍ମାଣ କରିବାକୁ ସାହାସ ପାଇଥିଲେ । ଏପରିକି ପୁରସ୍କାର ଭାବେ ପାଇଥିବା ଏକଲକ୍ଷ ଟଙ୍କା କୁ ମଧ୍ୟ ଏହି ରାସ୍ତା ନିର୍ମାଣରେ ଲଗାଇ ଗତ ଅକ୍ଟୋବର ମାସରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପାଖାପାଖି ୮ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟକରି ୧୫୦ମିଟର ଲମ୍ବ ୧୪ଫୁଟ ଓସାରର କଂକ୍ରିଟ ରାସ୍ତା ନିର୍ମାଣ କାମ ଆଜି ସମାପ୍ତ ହୋଇଛି । ମୋର ସ୍ୱପ୍ନ ପୁରଣ ହୋଇଥିବାରୁ ମୁଁ ଯେତିକି ଖୁସି ନହେଉଛି ଆମ ଗାଁର ଅନେକ ଲୋକ ଏହାଦ୍ୱାରା ଖୁସି ଓ ଆନନ୍ଦ ଅନୁଭବ କରୁଛନ୍ତି, ଯେହେତୁ ସେମାନେ ଆରାମରେ ନଦୀର ଅପରପଟକୁ ବାଇକ, ପାୱାରଟିଲର, ହଳବଳଦ, ସାଇକେଲ ଓ ଟ୍ରାକ୍ଟର ନେଇ ଚାଷବାସ କରିପାରିବେ ।
ଏଠାରେ ସୁଚନାଯୋଗ୍ୟ ଯେ କାର କିଣିବାକୁ ସଞ୍ଚିତ କରିଥିବା ପେନସନ ଟଙ୍କାରେ ଏହି ପୋଲ ତିଆରିରେ ଖର୍ଚ୍ଚକରି ସାଳନ୍ଦୀ ନଦୀ ଉପରେ ଏକ ପୋଲ ନିର୍ମାଣ କରିଥିଲେ । ଏହି ପୋଲ ସମ୍ପୁର୍ଣ୍ଣ ହେବାଦ୍ୱାରା କାନପୁର, ମରଚାଇପଦା, ନିଉଦାନି, ଦନେଇପୁର ଆଦି ଗ୍ରାମର ଲୋକମାନେ ସହଜରେ ନଦୀର ଉଭୟପାଶ୍ୱର୍କୁ ଯାତାୟତ କରିପାରିବା ସହ ଚାଷୀମାନେ ନଦୀର ଅପରପାଶ୍ୱର୍ରେ ଥିବା ଚାଷଜମିକୁ ହଳବଳଦ ଧରି ଯାତାୟତ କରିପାରିବେ । ଏହି ଲକ୍ଷନେଇ କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ଜଣେ ପଶୁଧନ ନିରୀକ୍ଷକ ଭାବେ କାର୍ଯ୍ୟକରି ଚାକିରିରିରୁ ଅବସର ନେବାପରେ ଯେଉଁ ପଇସା ପାଇଥିଲେ ସେଥିରେ ଗାଁ ଲୋକଙ୍କ ବର୍ଷବର୍ଷର ସମସ୍ୟାକୁ ସେ ଦୁରୀଭୁତ କରିବାପାଇଁ ସେ ଏକ ପୋଲ ନିର୍ମାଣକରି କିପରି ସ୍ୱପ୍ନକୁ ସାକାର କରିବେ ସେଥିପାଇଁ ସେ ପ୍ରସ୍ତୁତ ହୋଇ ମାର୍ଚ୍ଚ ୨୦୧୮ରେ ଏହି ପୋଲ ଆରମ୍ଭ କରିଥିଲେ । ୧୮ଲକ୍ଷ ୧୦ହଜାର ଟଙ୍କା ବ୍ୟୟକରି ସେ ୨୧୦ଫୁଟ ଲମ୍ବ୧୦ଫୁଟ ଓସାରର ଏକ ଫୁଟ ବ୍ରିଜ ନିର୍ମାଣ କରିଥଲେ । କିନ୍ତୁ ଏହି ପୋଲ ପାଖକୁ ଯିବାକୁ ଥିବା ସଂଯୋଗୀ କରଣ ରାସ୍ତା ନଥିବାରୁ ଗ୍ରାମବାସୀମାନେ ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ନିବେଦନ କରିଥିଲେବି କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଗଙ୍ଗାଧର ବାବୁ ସବୁଦିନିଆ କଂକ୍ରିଟ ରାସ୍ତା ନିର୍ମାଣ କରି ଲୋକଙ୍କ ଯାତାୟତର ସୁବିଧା କରିପାରିଛନ୍ତି ।