Odiapua.com

ପେନସନଭୋଗୀଙ୍କ ପାଇଁ ପ୍ରଥମ ବୃହତ ପଦକ୍ଷେପ

– ପେନସନ ବିଭାଗରେ ସମନ୍ୱିତ ଅଭିଯୋଗ କେନ୍ଦ୍ର ଏବଂ କଲ ସେଂଟର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ
– ପେନସନଭୋଗୀଙ୍କୁ ଘରେ ଥାଇ ମିଳିବ ଡିଜିଟାଲ ଜୀବନ ପ୍ରମାଣପତ୍ର
– ଚଳିତ ବର୍ଷ ୮ରୁ ୨୦ଟି ସହରକୁ ସମ୍ପ୍ରସାରିତ ହେବ ଏହି ସୁବିଧା, ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର ସାମିଲ

ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଉତର ପୂର୍ବାଂଚଳ କ୍ଷେତ୍ର ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂଙ୍କ ଦ୍ୱାରା ଆଜି ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏକ ସମନ୍ୱିତ ଅଭିଯୋଗ କେନ୍ଦ୍ର ଓ କଲ ସେଂଟର ଉଦଘାଟିତ ହୋଇଛି। ନୂଆଦିଲ୍ଲୀର ଜନପଥ ଭବନ ଠାରେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ପାଇଁ ଏହି କେନ୍ଦ୍ର ଖୋଲାଯାଇଛି। ଏହି ଅବସରରେ ଡିଏଆରପିଜି ଏବଂ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗର ସଚିବ ଶ୍ରୀ କେ.ଭି ଇପେନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପେନସନଭୋଗୀଙ୍କ ପାଇଁ ଏକ କଲ ସେଂଟର ପ୍ରତିଷ୍ଠା କରିବା ଲାଗି ବିଭାଗକୁ ଡ. ଜିତେନ୍ଦ୍ର ସିଂ ଅଭିନନ୍ଦନ ଜଣାଇଥିଲେ। ପେନସନଭୋଗୀଙ୍କ ଜୀବନକୁ ସହଜ କରିବା ଲାଗି ନୂଆ ସରକାର ଗଠନ ହେବାର ପ୍ରଥମ ୧୦୦ ଦିନ ମଧ୍ୟରେ ବିଭାଗ ପକ୍ଷରୁ କରାଯାଇଥିବା ବଡ଼ ଘୋଷଣାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବୋଲି ସେ କହିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ପେନସନଭୋଗୀଙ୍କ ଅଭିଯୋଗର ସମାଧାନ ହେବା ସହିତ ଏହା ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ମୂଲ୍ୟ ସମ୍ବର୍ଦ୍ଧନ କରିବାରେ ମଧ୍ୟ ସହାୟକ ହୋଇପାରିବ। ପେନସନଭୋଗୀଙ୍କ ଠାରୁ ମିଳୁଥିବା ସୂଚନା ଏବଂ ପରାମର୍ଶ ବିଭାଗର ଦୀର୍ଘକାଳୀନ ଉପଯୋଗରେ ଲାଗିପାରିବ। ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନରେ ଏହି କେନ୍ଦ୍ର ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ।

ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗତ ୫ ବର୍ଷ ମଧ୍ୟରେ ପେନସନଭୋଗୀଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ପେନସନଭୋଗୀଙ୍କ ଜୀବନକୁ ସହଜ କରିବା ଲାଗି ଅଭିନବ ପଦକ୍ଷେପମାନ ନିଆଯାଇଛି। ପ୍ରଶାସନିକ ପ୍ରକ୍ରିୟାକୁ ସହଜ କରିବା ଲାଗି ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି), ଅନୁଭବ ଓ ଭବିଷ୍ୟ ଭଳି ଯୋଜନା ବିଷୟରେ ମନ୍ତ୍ରୀ କହିଥିଲେ। ଏହି କେନ୍ଦ୍ରଗୁଡ଼ିକ ଭବିଷ୍ୟତରେ ଗଠନମୂଳକ ଭୂମିକା ନିର୍ବାହ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ପ୍ରତିବର୍ଷ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ବୟସ୍କ ତଥା ଅସୁସ୍ଥ ପେନସନଭୋଗୀମାନଙ୍କୁ ବ୍ୟାଙ୍କ ସାମ୍ନାରେ ବହୁ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା। ଏହାଦ୍ୱାରା ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ନିଆଯାଇଥିଲା। ପେନସନଭୋଗୀଙ୍କୁ ଘରେ ଥାଇ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରଦାନ କରିବାର କାର୍ଯ୍ୟ ୮ଟି ସହରରେ ପାଇଲଟ ମୋଡରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପେନସନ ସଂଗଠନଗୁଡ଼ିକୁ ସମ୍ପୃକ୍ତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନୋଏଡ଼ା/ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ, ମୁମ୍ବାଇ, ମହୀଶୂର, ଭଦୋଦରା, ଥିରୁଅନନ୍ତପୁରମ ଓ ବେଙ୍ଗାଲୁରୁରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା। ଏହାଦ୍ୱାରା ଗତବର୍ଷ ଡିସେମ୍ବର ସୁଦ୍ଧା ୨୪୮୦ ଜଣ ପେନସନଭୋଗୀ ନିଜ ନିଜ ଘରେ ଥାଇ ଡିଜିଟାଲ ଜୀବନ ପ୍ରମାଣପତ୍ର ପାଇପାରିଥିଲେ। ଚଳିତ ବର୍ଷ ଏହି ସୁବିଧା ୮ରୁ ୨୦ଟି ସହରକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ଅତିରିକ୍ତ ସହରଗୁଡ଼ିକ ମଧ୍ୟରେ ରହିଛି ହାଇଦ୍ରାବାଦ, ରାଂଚି, ଭୁବନେଶ୍ୱର, ଜୟପୁର, ତ୍ରୀଶୂର, କୋଲକାତା, କଟକ, ଚେନ୍ନାଇ, ଗୌହାଟୀ, ମଦୁରାଇ, ବାଲେଶ୍ୱର, ଜଳନ୍ଧର, ଅହମ୍ମଦାବାଦ, ଆହ୍ଲାବାଦ ଓ ପୁନେ।

ଡିଜିଟାଲକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପେନସନ ପ୍ରଶାସନ ବିଭାଗ ଦ୍ୱାରା “ଭବିଷ୍ୟ” ନାମକ ସଫ୍ଟୱେର ବିକଶିତ କରାଯାଇଛି। ଭାରତ ସରକାରଙ୍କ ସମସ୍ତ ବେସାମରିକ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ଏହି ପ୍ଲାଟଫର୍ମରେ ପେନସନ ମାମଲାଗୁଡ଼ିକର ସମାଧାନ କରାଯାଇପାରିବ। ଏହି ସଫ୍ଟୱେର ସମସ୍ତ ଅଂଶୀଦାରମାନଙ୍କୁ ଗୋଟିଏ ସାଧାରଣ ପ୍ଲାଟଫର୍ମକୁ ନେଇଆସିଛି ଯେଉଁମାନେ ବର୍ତମାନ ସୁଦ୍ଧା ଏହି ଏକକ ପ୍ଲାଟଫର୍ମରେ ବିକେନ୍ଦ୍ରୀକୃତ ହୋଇସାରିଛନ୍ତି। ଏବେ ସୁଦ୍ଧା ୭୯୨ଟି କାର୍ଯ୍ୟାଳୟ ପେନସନ କାଗଜପତ୍ର ଇଲେକଟ୍ରୋନିକ୍ସ ମାଧ୍ୟମରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ମୁଖ୍ୟ କାର୍ଯ୍ୟାଳୟ, ପଇଠ ଏବଂ ଆକାଉଂଟ କାର୍ଯ୍ୟାଳୟ ଏବଂ ସିପିଏଓ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାରୁଛି। ବର୍ତମାନସୁଦ୍ଧା ପାଖାପାଖି ୩୫ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ/ପରିବାର ପେନସନ ଭବିଷ୍ୟ ମାଧ୍ୟମରେ ପ୍ରକ୍ରିୟାକୃତ ହୋଇସାରିଛି। ଏହି ଆପ୍ଲିକେସନ ମାଧ୍ୟମରେ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କ ମାମଲା ପ୍ରକ୍ରିୟାକରଣ ହୋଇସାରିଲାଣି। ମନ୍ତ୍ରଣାଳୟ/ବିଭାଗଗୁଡ଼ିକ ପରେ ଭବିଷ୍ୟ କେନ୍ଦ୍ର ଶାସିତ ଅଂଚଳ ଏବଂ ଦିଲ୍ଲୀ ପୋଲିସ ପ୍ରଶାସନରେ କାର୍ଯ୍ୟରତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମଧ୍ୟ କଭର କରିସାରିଲାଣି।

ଅନଲାଇନ ସିପିଇଏନଗ୍ରାମ ବ୍ୟବସ୍ଥା ସହିତ ମୋବାଇଲ ଆପ ମଧ୍ୟ ଡାକ ଦ୍ୱାରା ଗ୍ରହଣ କରାଯାଉଥିବା ଅଭିଯୋଗ ପଞ୍ଜିକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହି ବ୍ୟବସ୍ଥା ପ୍ରତି ପେନସନଭୋଗୀଙ୍କ ଆସ୍ଥା ବୃଦ୍ଧି ପାଇଛି। ଯଦିଓ ଏହି କଲ ସେଂଟର ମୁଖ୍ୟତଃ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୋଲାଯାଇଛି ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ପେନସନ ସଂକ୍ରାନ୍ତ ଅଭିଯୋଗ ସମାଧାନ ଲାଗି ଏଠାକୁ ଫୋନ କରୁଛନ୍ତି।

ଭବିଷ୍ୟତରେ ପେନସନ ସଂକ୍ରାନ୍ତ ଅଭିଯୋଗର କଲ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସୁବିଧାକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସହଜରେ ଅଭିଯୋଗ ପଞ୍ଜିକରଣ କରିବା ଏବଂ ଉତମ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଅଭିଯୋଗର ସମାଧାନ କରିବା ଏହାର ମୂଳ ଲକ୍ଷ୍ୟ।