Odiapua.com

ପେଟ ପାଇଁ ପାଣିଭାର

ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଏବେ ଗ୍ରୀଷ୍ମର ତତଲା ତାୱାରେ ରାଉରକେଲା। ପାରା ୪୩ ଡିଗ୍ରୀ ଉପରେ ରହୁଛି। ରାଉରକେଲାର ସହରତଳି ବସ୍ତି ଅଂଚଳ ଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ ସବୁଠି ଜଳକଷ୍ଟ। ପାଣି ମୁନ୍ଦାଏ ପାଇଁ ସଭିଏଁ ଡହଳବିକଳ। ଗୋଟିଏ ପଟେ ଦକ୍ଷିଣ ରାଉରକେଲାର କିଛି ଜାଗାରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଅପରପକ୍ଷରେ ପାଣି ଦେଇଛି ଜଣେ ବେରୋଜଗାର ଯୁବକଙ୍କୁ ରୋଜଗାର। ପେଟ ପାଇଁ ବୋହି ଚାଲିଛନ୍ତି ପାଣିଭାର। କଷ୍ଟମଷ୍ଟେ ଚଳାଉଛନ୍ତି ନିଜ ଛଅପ୍ରାଣୀ କୁଟୁମ୍ବ। ସେ ହେଉଛନ୍ତି ଦକ୍ଷିଣ ରାଉରକେଲା ନବକୃଷ୍ଣନଗର ବାସିନ୍ଦା ନନ୍ଦ ସ୍ୱାଇଁଙ୍କ ସୁପୁତ୍ର ରାଧେକୃଷ୍ଣ ସ୍ୱାଇଁ। ବୟସ ପାଖାପାଖି ୩୦। ବ୍ରହ୍ମପୁରର ମୂଳବାସିନ୍ଦା ରାଧେକୃଷ୍ଣ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ନବକୃଷ୍ଣନଗରରେ ୧୫ ବର୍ଷ ହେଲା ରହି ଆସୁଛନ୍ତି। ପରିବାର କହିଲେ ଦୁଇ ଝିଅ ସନ୍ତୋଷିନୀ, ତୁଳସୀ, ଏକମାତ୍ର ପୁଅ ରୁଦ୍ରପ୍ରତାପ ଓ ସ୍ତ୍ରୀ ନମିତାଙ୍କୁ ନେଇ ରାଧେକୃଷ୍ଣଙ୍କ ତେଲଲୁଣର ସଂସାର ଚଳେ। କିଛି ମାସ ପୂର୍ବରୁ ପାଉଁରୁଟି ବ୍ୟବସାୟ କରି ରାଧେକୃଷ୍ଣ ନିଜ ପରିବାର ଚଳାଉଥିଲେ। ମାତ୍ର ବ୍ୟବସାୟରେ କ୍ଷତି ହେବା କାରଣରୁ ବ୍ୟବସାୟରେ ପୂର୍ଣ୍ଣଚ୍ଛେଦ ଟାଣି ଏହି ପାଣିଭାରକୁ ଆଦରି ନେଲେ ବୋଲି କୁହନ୍ତି ରାଧେକୃଷ୍ଣ। ପ୍ରତିଦିନ ଭୋର ୪ଟାରେ ଶେଯ ଛାଡନ୍ତି ରାଧାକୃଷ୍ଣ। ନିତ୍ୟକର୍ମ ସାରିବା ପରେ ନିଜ କାମରେ ବାହାରିଯାଆନ୍ତି ସେ। ଟିଣରେ ପାଣି ସଂଗ୍ରହ କରି ନିର୍ଧାରିତ ସ୍ଥଳରେ ସମୟ ପୂର୍ବରୁ ପହଚିଂଯାଅନ୍ତି। ସକାଳ ୬ରୁ ୮ଟା ଯାଏ ପାଣି ସଂଗ୍ରହ କରିବାରେ ଲାଗି ପଡନ୍ତି। ଗୋଟିଏ ଟିଣ ପିଛା ନେଇଥାନ୍ତି ୫ଟଙ୍କା। ଏକ ଟ୍ରଲି ରିକ୍ସାରେ ଟିଣ ଗୁଡ଼ିକ ରଖି ସେ ପାନୀୟ ଜଳ ପରିବହନ କରନ୍ତି। ବର୍ତମାନ ସେ ସ୍ଥାନୀୟ ଅଂଚଳର ୭ଟି ଜଳଖିଆ ଦୋକାନରେ ନିୟମିତ ପାଣି ବଂଟନ କରି ଦୁଇ ପଇସା ରୋଜଗାର କରୁଛନ୍ତି। ସକାଳ ବ୍ୟତୀତ ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ପାଣି ଯୋଗାଇଥାନ୍ତି ରାଧେକୃଷ୍ଣ। କୌଣସି ଦୋକାନୀ ଯଦି ପାଣି ପାଇବାରେ ଟିକିଏ ବିଳମ୍ବ ହୁଏ, ତେବେ ସଙ୍ଗେ ସଙ୍ଗେ ରାଧେକୃଷ୍ଣଙ୍କୁ ତତ୍କ୍ଷାଣତ ଖୋଜାପଡେ। ରାଧେକୃଷ୍ଣ ସ୍ୱଭାବରେ ଖୁବ ମେଳାପୀ ଓ ମିଷ୍ଟଭାଷୀ। ସମାଜସେବା ଓ ପରୋପକାର କରିବାକୁ ସେ କେବେ ଆଜିଯାଏ ପଛଘୁଂଚା ଦେଇନାହାନ୍ତି। ଏଥିସହ ସେ ଜଣେ ପ୍ରଗାଢ ଇଶ୍ୱର ବିଶ୍ୱାସୀ। ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ, ଅଷ୍ଟପ୍ରହରୀରେ ନିଜକୁ ସାମିଲ କରିଥାନ୍ତି ସେ। ଗୋଟିଏ ପଟେ ବଜାରରେ ଏକ ଲିଟର ପାନୀୟ ଜଳର ମୂଲ୍ୟ ୧୫ରୁ ୨୦ ଟଙ୍କା ରହିଥିବା ବେଳେ ମାତ୍ର ୫ଟଙ୍କା ବିନିମୟରେ ଏକ ଟିଣ ପାଣି ଯୋଗାଇଥାନ୍ତି ରାଧେକୃଷ୍ଣ। ଦକ୍ଷିଣ ରାଉରକେଲାରେ ସକାଳୁ ସଂଧ୍ୟା ସମସ୍ତଙ୍କ ତୁଣ୍ଡରେ ଶୁଭେ କେବଳ ରାଧେକୃଷ୍ଣ!