Odiapua.com

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟର ପୃଥକ ପୃଥକ ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ

ପେଟ୍ରୋଲିୟମ ଓ ଇସ୍ପାତ ବିଭାଗରେ ଗତ ୫ ବର୍ଷରେ କରାଯାଇଥିବା କାମକୁ ତ୍ୱରାନ୍ୱିତ କରାଯିବ – ଧର୍ମେନ୍ଦ୍ର ପ୍ରଧାନ

– ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିତ୍ୱ ଇସ୍ପାତ ବିଭାଗର ଦାୟିତ୍ୱ ନେଇଥିବା ଯୋଗୁଁ ଓଡିଆ ଭାବେ ଏହାର ଦାୟିତ୍ୱ ନେବା ଗୌରବର ବିଷୟ
– ଗତ ୫ ବର୍ଷରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗରେ ଅନେକ ସଂସ୍କାର ଓ ସୁଧାର ଅଣାଯିବା ସହ ଅନେକ ନୂତନ ପଦକ୍ଷେପ ନିଆଯାଇଛି
– ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ମୋଦି ସରକାରଙ୍କ ଉର୍ଜା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
– ଆଗାମୀ ଦିନରେ ଦେଶରେ ତୈଳ ଓ ଗ୍ୟାସର ଉତ୍ପାଦନ ବୃଦ୍ଧିକୁ ପ୍ରାଥମିକତା ଦିଆଯିବ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭିଜନରେ ଏହି ମନ୍ତ୍ରାଳୟ ଏକ ଲକ୍ଷ୍ୟ ନେଇ ସମସ୍ତଙ୍କ ସହଯୋଗରେ କାମ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୩୧ (ଓଡ଼ିଆ ପୁଅ) – ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗରେ ବିଗତ ୫ ବର୍ଷରେ କରାଯାଇଥିବା କାମକୁ ଦୁଇରୁ ତିନି ଗୁଣା କରାଯିବ। ଅନୁରୂପ ଭାବେ ଷ୍ଟିଲ୍ ବିଭାଗରେ ଗତ ୫ ବର୍ଷରେ ଅନେକ ଗୁଡିଏ ପଦକ୍ଷେପ ନିଆଯାଇ ଭଲ କାମ ଆରମ୍ଭ କରାଯାଇଥିବା ବେଳେ ଏହି ବିଭାଗର କାମକୁ ମଧ୍ୟ ତ୍ୱରାନ୍ୱିତ କରାଯିବ ବୋଲି ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବରେ ପୃଥକ ପୃଥକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସାମ୍ବାଦିକ ମାନଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିତ୍ୱ କେନ୍ଦ୍ରରେ ଇସ୍ପାତ ବିଭାଗର ଦାୟିତ୍ୱ ନେଇଥିବା ଯୋଗୁଁ ଜଣେ ଓଡିଆ ଭାବେ ଏହି ବିଭାଗର ଦାୟିତ୍ୱ ନେବା ଗୌରବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରର ଗତ ୫ ବର୍ଷରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗରେ ଅନେକ ସୁଧାର ଆସିଥିବା ବେଳେ ଏହି କ୍ଷେତ୍ରରେ ଅନେକ ଗୁଡିଏ ପ୍ରକଳ୍ପ କରାଯିବା ସହ ସହ ନୂଆ ନୂଆ ପଦକ୍ଷେପ ନିଆଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ମୋଦି ସରକାରଙ୍କ ଉର୍ଜା ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ପ୍ରଥମ ୫ ବର୍ଷ ସଫଳତାର ସହ କାର୍ଯ୍ୟ କରିଛି। ଫଳସ୍ୱରୂପ ଭାରତର ଜନସାଧାରଣମାନେ ମୋଦିଜୀଙ୍କୁ ପୁନର୍ବାର କାମ କରିବାର ଦାୟିତ୍ୱ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୫ ବର୍ଷରେ ଏହି କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ଆସିଛି। ବର୍ତମାନ ମୋଦିଙ୍କ ଦ୍ୱିତୀୟ ପାଳିର ସରକାରରେ ଏହି କ୍ଷେତ୍ରରେ ସାଧାରଣ ଭିତିଭୂମି, ବଜାରର ଭିତିଭୂମିକୁ ପୂର୍ବପରି ଗୁରୁତ୍ୱ ଦିଆଯିବ ା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ କାମ ଦ୍ରୁତ ଗତିରେ ଚାଲୁଥିବାବେଳେ ଏହାକୁ ଆହୁରି ଗତି ଦିଆଯିବ। ଭାରତବର୍ଷରେ ୪୦୦ ଜିଲ୍ଲାରେ ସିଟି ଗ୍ୟାସ ନେଟୱାର୍କ ବିସ୍ତାରିତ ହୋଇସାରିଥିବା ବେଳେ ଆଗାମୀ ଦିନରେ ଏହାର କ୍ରିୟାନ୍ୱୟନକୁ ସରଳୀକରଣ କରିବା ଦିଗରେ ଗୁରୁତ୍ୱରୋପ କରାଯିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁନର୍ବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଦାୟିତ୍ୱ ମିଳିବା ପରେ ବିଭାଗୀୟ ମନ୍ତ୍ରାଳୟ ଏକ ଲକ୍ଷ୍ୟ ନେଇ ମିଳିମିଶି କାମ କରିବ। ୫ ବର୍ଷ ନିରନ୍ତର ଭାବେ ଅକଥନୀୟ ପରିଶ୍ରମ କାର୍ଯ୍ୟ କରିବା ପରି ଆଗାମୀ ଦିନରେ ମଧ୍ୟ ମନ୍ତ୍ରାଳୟର ସମସ୍ତ ଅଧିକାରୀମାନେ ପୂର୍ବପେକ୍ଷା ଅଧିକ ପରିଶ୍ରମ କରିବେ। ତୈଳ ଓ ଗ୍ୟାସର ଉତ୍ପାଦନ ବୃଦ୍ଧିକୁ ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭିଜନରେ ଏହି ମନ୍ତ୍ରାଳୟ କାମ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।