Odiapua.com

ପୂର୍ବ ଶତ୍ରୁତାରୁ ଘରେ ନିଆଁ ଲଗାଇଲେ ଦୃବୁର୍ତ୍ତ, ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ। ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। କିନ୍ତୁ ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରୋଶମୂଳକ ଭାବେ ଦୃବୁର୍ତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଗବସାହିର ସୁଦର୍ଶନ ଦାସ ନିଜ ୬ ଜଣ ପରିବାର ସହ ଘର ଭିତରେ ଶୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଘର ଗୁଡିକ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ସୁଦର୍ଶନଙ୍କ ପରିବାର ଲୋକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡିବାକୁ ଲାଗିଥିଲେ। ତେବେ ଘର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ, ଆଉ ବାହାରି ନପାରି ପଛପଟ ଝରକାକୁ ଭାଙ୍ଗି ସମସ୍ତ ପରିବାର ସୁରକ୍ଷିତ ଅବସ୍ଥାରେ ବାହାରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସଂପତ୍ତି ଆଉ ଆସବାବ ପତ୍ର ଜଳିପୋଡି ଛାରଖାର ହୋଇଯାଇଛି। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ। ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ପରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସେପଟେ ନିଆଁ ଲଗାଇବା ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ଟାଉନ୍ ଥାନା ପୁଲିସ୍।