Odiapua.com

ପୂର୍ବ ଶତ୍ରୁତାକୁ ନେଇ ଶିଳପୁଆରେ ଛେଚି ଭିନ୍ନକ୍ଷମଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ପଞ୍ଚାୟତ ଅଧିନ ଦୋଳସାହି ଗ୍ରାମର ରବିନ୍ଦ୍ର ଖୁଣ୍ଟିଆ (୪୫) ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ ନେଇ କେତେକ ବ୍ୟକ୍ତି ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ୍ ୫/୨୦୨୧ ଦଫା ୪୫୭, ୩୦୨, ୫୦୬ ଓ ୩୪ ମୂଳେ ଏକ ମକଦ୍ଦମା ରୁଜ୍ଜୁ କରି ଅଭିଯୁକ୍ତ ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ ଗିରଫ କରିଛନ୍ତି । ଏଥିସହିତ ମୃତ ରବିନ୍ଦ୍ରଙ୍କ ଶବ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାସ୍ଥଳରୁ ପୁଲିସ୍ ବାଡ଼ି ଓ ଇଟାଖଣ୍ଡ ଜବତ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ରବିନ୍ଦ୍ର ଖୁଣ୍ଟିଆଙ୍କ ଦୁଇଗୋଡ଼ ପିଲାବେଳୁ ଅଚଳ । ସେ ଗତକାଲି ରାତି ୮ଟାବେଳେ ଘରେ ରୁଟି ଖାଉଥିଲେ । ଏହି ସମୟରେ ସେହି ଗ୍ରାମର କିଶୋର ମହାପାତ୍ର, ତାଙ୍କ ବିଜୟଲକ୍ଷ୍ମୀ ମହାପାତ୍ର, ମୁନା ଭଞ୍ଜ ଓ ପାପୁନା ସାହୁ ରବିନ୍ଦ୍ରଙ୍କ ଘରକୁ ଆସି ତାକୁ ଆକ୍ରମଣ କରିଥିଲେ । ରବିନ୍ଦ୍ର ଭୟଭୀତ ହୋଇ ଦାଣ୍ଡକୁ ପଳାଇ ଆସିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ବାଡ଼ି ଓ ଇଟାରେ ଆକ୍ରମଣ କରିଥିବାବେଳେ କିଶୋର ମହାପାତ୍ର ହାତରେ ଧରିଥିବା ଶିଳପୁଆରେ ରବିନ୍ଦ୍ରଙ୍କ ମୁଣ୍ଡର ପଛପଟକୁ ଆକ୍ରମଣ କରିଥିଲେ । ଫଳରେ ରବିନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତାଙ୍କୁ ତିହିଡ଼ି ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ସମ୍ପର୍କରେ ରବିନ୍ଦ୍ରଙ୍କ ଭଉଣୀ କୁନୁମୁନୀ ଖୁଣ୍ଟିଆ ତିହିଡ଼ି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ସମ୍ପର୍କରେ ତିହିଡ଼ି ଥାନା ଆଇ.ଆଇ.ସି. ରମେଶ ସିଂ କହିଛନ୍ତି ଯେ, ହତ୍ୟା ଘଟଣାରେ ବିଜୟଲକ୍ଷ୍ମୀ ମହାପାତ୍ରଙ୍କୁ ଗିରଫ କରାଯାଇଛି । ତଦନ୍ତ ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।