ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ ନେଇ ଜଣେ ମହିଳାଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରି ଗଛରେ ବାନ୍ଧି ଅର୍ଦ୍ଧ ଉଲଗ୍ନ ଭାବେ ନିର୍ଯ୍ୟାତନା ଦେବା ଘଟଣା ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ସହରାଞ୍ଚଳ ଥାନା ଅଧୀନସ୍ଥ ୧ ନଂ ୱାର୍ଡର ବରାଳପୋଖରୀ ହନୁମାନ ସାହି ନିବାସୀ ରବିନ୍ଦ୍ର ଦଳେଇଙ୍କ ଅଭିଯୋଗ ପତ୍ରରୁ ଜଣାପଡିଛି ସେ ଆଜି ସକାଳେ ଘରେ ନଥିବା ସମୟରେ ତାଙ୍କ ପତ୍ନୀ ମାନସୀ କିସ୍ତି ଟଙ୍କା ପୈଠ କରି ଘରକୁ ଫେରୁଥିବାବେଳେ ତାଙ୍କ ଭାଇ ଘର ସମ୍ମୁଖରେ ପଡୋଶୀ ମଦନ ସେନାପତି, ଗୌତମ ସେନାପତି, ମିନତୀ ସେନାପତି, କନକ ସେନାପତି, ସୁନୀତା ସେନାପତି, ଶ୍ରଦ୍ଧାଞ୍ଜଳି ସେନାପତି, ପଦ୍ମା ସେନାପତି, ମନୋରମା ସେନାପତି, ପିଙ୍କି ସେନାପତି, ସମୀର ସେନାପତି ପ୍ରମୁଖ ମିଶି ତାଙ୍କ ପତ୍ନୀଙ୍କୁ ଟେକିନେଇ ଟଣାଓଟରା କରି ଅର୍ଦ୍ଧ ଉଲଗ୍ନ କରିଦେଇଥିଲେ । ଏବଂ ପରେ ଏକ ନଡିଆ ଗଛରେ ବାନ୍ଧି ହାତରେ ଧରିଥିବା ବାଡି, ପଥର, ଛୁରୀ ଓ କୋଦାଳ ଦ୍ୱାରା ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ଫଳରେ ତାଙ୍କ ପତ୍ନୀଙ୍କର ମୁଣ୍ଡ ଫାଟିଯିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଏହି ଆକ୍ରମଣ ସମୟରେ ଆକ୍ରମଣକାରୀମାନେ ପୂର୍ବ ବିବାଦକୁ ନେଇ ସେମାନଙ୍କ ନାମରେ ହୋଇଥିବା କେଶ୍କୁ ଉଠାଇ ନଆଣିଲେ ଘରେ ନିଆଁ ଲଗାଇ ସପରିବାରକୁ ପୋଡି ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ତାଙ୍କ ପତ୍ନୀ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ସେମାନଙ୍କ ଆକ୍ରମଣରେ ଚିତ୍କାର କରିବାରୁ ସ୍ଥାନୀୟ କାଉନ୍ସିଲର ଓ ପାଖ ଲୋକମାନେ ଚାଲିଆସିବାରୁ ଅପରପକ୍ଷ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏବେ ତାଙ୍କର ପତ୍ନୀ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଅପରପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରବିନ୍ଦ୍ର ଦଳେଇ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ଘଟଣାରେ ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବାର ଜଣାପଡିଛି ।