Odiapua.com

ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା

ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଜନନାୟକ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସମଗ୍ର ଦେଶରେ ୭ ଦିନିଆ ଶୋକ ପାଳନ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଜୀବ ଗିରି, ବରିଷ୍ଠ କଂଗ୍ରେସ ନେତା ହରମୋହନ ଦାଶ, କୃଷ୍ଣ ଗୋପାଳ ପଣ୍ଡା, ଗୋପୀନାଥ ପାଢ଼ୀ, ପ୍ରଜ୍ଞାପାରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ତୁଷାରକାନ୍ତି ତପସ୍ୱୀ, ରଂଜନ କୁମାର ଦାସ, ଗୌତମ ସାହୁ, ସୌରଭ ବେହେରା, ଜୀବନ ମହାପାତ୍ର, ଫାତୁ ମୁସ୍ତାଫିଜ୍ ପ୍ରମୁଖ ଯୋଗଦେଇ ଦେଶ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି ବୋଲି ମତ ପ୍ରକାଶ କରିଥିଲେ। ରାଷ୍ଟ୍ରର ବିକାଶ ପ୍ରତି ସର୍ବଦା ଗୁରୁତ୍ୱ ଦେଇ ଆସିଥିବା ଏହି ଦେଶଭକ୍ତ ନେତା ନିଜ କାର୍ଯ୍ୟଦକ୍ଷତା ପାଇଁ ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଲାଭ କରିଥିଲେ ବୋଲି ବକ୍ତାମାନେ କହିଥିଲେ। ପଶ୍ଚିମବଙ୍ଗର ଏକ ଛୋଟିଆ ଗାଁ’ରେ ଜନ୍ମ ଗ୍ରହଣ କରିଥିଲେ ବି ନିଜର କର୍ମ ଓ ଦକ୍ଷତା ପାଇଁ ସେ ସମଗ୍ର ଦେଶବାସୀଙ୍କର ପ୍ରିୟ ହୋଇପାରିଥିଲେ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ନିରବ ପ୍ରାର୍ଥନା ମାଧ୍ୟମରେ ଦିବଂଗତ ଆତ୍ମାପ୍ରତି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କରୋନା ସଂକ୍ରମଣ ପାଇଁ ସ୍ୱଳ୍ପ ସଂଖ୍ୟକ କଂଗ୍ରେସ କର୍ମୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।