Odiapua.com

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ

ଭୁବନେଶ୍ବର ୧୭-୧୧ (ଓଡ଼ିଆ ପୁଅ) ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ଅବସର ବେଉରିଆ ବିଭିନ୍ନ ଦେଶର ଦୂତବାସରେ କାମ କରିଛନ୍ତି। ବିଶିଷ୍ଟ ଓଡ଼ିଆ, ପୂର୍ବତନ ରାଷ୍ଟ୍ରଦୂତ, ଅନେକ ବିରଳ ସମ୍ମାନର ଅଧିକାରୀ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ପ୍ରଖର ଦେଶପ୍ରେମୀ ତଥା ରାଷ୍ଟ୍ରବାଦୀ, ଜଣାଶୁଣା ସ୍ତମ୍ଭକାର, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜକୁ ସମର୍ପିତ କରିଥିବା ଆମ ସମସ୍ତଙ୍କର ପ୍ରିୟ ଭାରତୀୟ ବିଦେଶ ସେବାର ପୂର୍ବତନ ଅଧିକାରୀ ଅବସର ବେଉରିଆ।

ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହୀଦନଗର ସ୍ଥିତ ତାଙ୍କ ବାସଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ବିଳମ୍ବିତ ରାତିରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

ମୃତ୍ୟୁ ସମୟରେ ତାଙ୍କର ସହଧର୍ମିଣୀ ତାଙ୍କ ସହ ଥିଲେ। କିଛି ମାସ ଆଗରୁ କରୋନା ସମୟରେ କଳିଙ୍ଗ ହସ୍ପିଟାଲରେ ସେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିଲେ।

ଅବସର ବେଉରିଆଙ୍କର ଅକାଳ ବିୟୋଗ ଓଡ଼ିଆ ଜାତି ତଥା ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଓଡ଼ିଆ ଜାତି ପାଇଁ ଜଣେ ବିଶାଳ ଜ୍ଞାନର ଭଣ୍ଡାର, ମାର୍ଗଦର୍ଶକ ତଥା ପ୍ରେରଣାର ଉତ୍ସ ଥିଲେ। ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସ୍ତୁତିରେ ତାଙ୍କର ଅବଦାନ ଅତୁଳନୀୟ।