Odiapua.com

ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ୱର୍ଗତାଃ ସୁଷମା ସ୍ୱରାଜଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

– ସ୍ୱର୍ଗତାଃ ସୁଷମା ସ୍ୱରାଜଜୀଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀକ୍ଷତି
– ପୁଷ୍ପମାଲ୍ୟ ଦେଇ ଶୋକ ବ୍ୟକ୍ତ କଲେ ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀ
– ଆସନ୍ତାକାଲି ଆୟୋଜିତ ହେବ ଶ୍ରନ୍ଧାଞ୍ଜଳି ସଭା

ଭୁବନେଶ୍ୱର, ୦୭/୦୮ (ଓଡ଼ିଆ ପୁଅ) : ପୂର୍ବତନ ବୈଦେଶିକ ମନ୍ତ୍ରୀ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି। ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତ୍ରୀଙ୍କୁ ହରାଇଛି। ସାଧାରଣ ଜନତାଙ୍କ ନେତ୍ରୀ ଭାବେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର କରିବାରେ ପାରଙ୍ଗମ ଥିଲେ। ସେ ଜଣେ ଅଜାତ ଶତ୍ରୁ ଭାବେ ବିବେଚିତ ହେଉଥିଲେ। ସଂସଦ ଭବନରେ ତାଙ୍କ କାର୍ଯ୍ୟକୁ ବିରୋଧୀମାନେ ମଧ୍ୟ ପ୍ରଶଂସା କରନ୍ତି। ତାଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀ କ୍ଷତି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱର୍ଗତାଃ ସ୍ୱରାଜଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି। ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱର୍ଗତାଃ ସୁଷମାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା। ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି।

ସୁଷମା ସ୍ୱରାଜଜୀ ନାରୀ ଜାତିର ଏକ ମୁର୍ତ୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ। ସମଗ୍ରର ନାରୀ ଜାତି ପାଇଁ ସେ ଏକ ଉଦାହରଣ ହୋଇ ରହିବେ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର ଭାରତବାସୀଙ୍କୁ ଆକର୍ଷିତ କରୁଥିଲା ବୋଲି ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ କହିଛନ୍ତି।

ସମସ୍ତ ଭାଷାରେ ସୁଷମାଜୀଙ୍କ ଦକ୍ଷତା ଥିଲା। ତାଙ୍କର ଶାଣିତ ଭାଷଣରେ ବିମୋହିତ ହୋଇ ଲକ୍ଷ ଲକ୍ଷ ଜନତା ତାଙ୍କ ସଭା ସ୍ଥଳରେ ପହଂଚୁଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି। ଆସନ୍ତାକାଲି ସୁଷମାଜୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏହି ଶୋକ ସଭାରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସାଧାରଣ ସଂପାଦକ ଅନନ୍ତ ନାୟକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସଂପାଦକ (ସଙ୍ଗଠନ ) ମାନସ ମହାନ୍ତି, ଶାରଦା ଶତପଥୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ।