Odiapua.com

ପୂର୍ବତନ ବାୟୁ ଯୋଦ୍ଧା ନଗେନ୍ଦ୍ରଙ୍କ ପରଲୋକ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଣିଜୋ ଗ୍ରାମପଞ୍ଚାୟତ ଅଣିଜୋ ଗ୍ରାମର ସ୍ୱର୍ଗତ ନଗେନ୍ଦ୍ର ମିଶ୍ରଙ୍କ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ମିଶ୍ର ପିଲାବେଳୁ ଖେଳ ପ୍ରତି ଋଚି ରଖିଥିବା ବେଳେ ମ୍ୟାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ମାତ୍ର ୧୯ବର୍ଷ ବୟସ ବେଳେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ୧୯୬୫, ୧୯୭୧ ଏବଂ ୧୯୭୪ ଭାରତ ପାକିସ୍ତାନ, ଭାରତ ଚାଇନା ଯୁଦ୍ଧରେ ବିରତ୍ୱର ସହିତ ଲଢେଇ କରି ବିଭିନ୍ନ ମେଡ଼ାଲ ପାଇଥିଲେ । ସାମରିକ ସେବା ସହିତ ହକି ଖେଳରେ ମଧ୍ୟ ବହୁତ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ବ୍ଲକ ବିଜେଡ଼ି ଯୁବସଭାପତି ସତ୍ୟସାଧନ ବେଜ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ତ୍ରିପାଠୀ, ସାମ୍ବାଦିକ ହେମନ୍ତ ସିଂହ, ବିଜେପି ନେତା ଗୋପାଳକୃଷ୍ଣ ଦାଶ, ଶିବାନନ୍ଦ ଦାସ ଅଧିକାରୀ, ଯୋଗଗୁରୁ ଧରଣୀଧର କର, ପୂର୍ବତନ ସରପଞ୍ଚ ରବି ନାରାୟଣ ମହାନ୍ତି, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା, ପରମେଶ୍ୱର ରାଉତ, ସମାଜସେବୀ ଶରତ ପଣ୍ଡା ପ୍ରମୁଖ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ହେମନ୍ତ, ସୁଧାଂଶୁ ଓ ଫାଲଗୁନୀ ମିଶ୍ର ଉପସ୍ଥିତ ଥିଲେ । ଅବସର ସୈନିକ ସଂଘ ପକ୍ଷରୁ ତାଙ୍କ ଗୃହକୁ ଜାତୀୟ ପତାକା ପଠାଯାଇଥିଲା । ପରେ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଛି । ବଡ଼ପୁଅ ହେମନ୍ତ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମିଶ୍ର ଜଣେ ଦୃଢମନା ବ୍ୟକ୍ତି ଥିବା ବେଳେ ତାଙ୍କ ଉଦ୍ୟମରେ ଅଣିଜୋ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରିଛି । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।