Odiapua.com

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉପଲକ୍ଷେ କଂଗ୍ରେସ ସେବାଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର ତା ୨୦.୮(ଓଡ଼ିଆ ପୁଅ)- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ପାଳନ ଅବସରରେ ଓଡିଶା କଂଗ୍ରେସ ସେବାଦଳ ପକ୍ଷରୁ ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ବୃକ୍ଷରୋପଣ କରି ଶୁଭାରମ୍ଭ କରିଥିଲେ। ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ମନୋଜ ଜେନାଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଗୁରୁତ୍ୱ ସଂପର୍କରେ ଆଲୋଚନା ହୋଇଥିଲା। ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ୨୦ ଅଗଷ୍ଟ ସଦ୍ଭାବନା ଦିବସରୁ ସେବାଦଳର ପ୍ରତିଷ୍ଠାତା ଡଃ ଏନ୍.ଏସ୍. ହାର୍ଡିକରଙ୍କ ପୂଣ୍ୟ ତିଥିରେ ୨୬ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ସବୁ ଜିଲ୍ଲାରେ ସେବାଦଳ କର୍ମୀମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଏକ ସ୍ଲୋଗାନ “ସେବାଦଳ କା ଯୋଦ୍ଧା ଲଗାଏଗା ପୌଧା” ଦିଆ ଯାଇଥିଲା। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସେବାଦଳ ଅଧ୍ୟକ୍ଷ ମନୋଜ ଜେନାଙ୍କ ସମେତ ପୂର୍ବତନ ସେବାଦଳ ଅଧ୍ୟକ୍ଷ ବିରେନ୍ ମୋହନ ପଟ୍ଟନାୟକ, କାର୍ଯ୍ୟାଳୟ ସଂପାଦକ ଜ୍ୟୋତିଷ କୁମାର ସାହୁ, ମହିଳା ସେବାଦଳ ଅଧ୍ୟକ୍ଷା ଉଷାରାଣୀ ବେହେରା, କୁଳମଣି ସାହୁ, ନିରେଶ ପାତ୍ର, ରମେଶ ଭାରତୀ, ନିରଦ ବରଣ ଖୁଂଟିଆ ଓ ମଂଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।