Odiapua.com

ପୂରଣ ହେଲାନି ଦାବି, ଆନ୍ଦୋଳନ କରିବ ଯୁବ କଂଗ୍ରେସ

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୯ ଦଫ।। ଦାବି ନେଇ ରେଳରୋକ କରିବା ପରେ ମଧ୍ୟ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲା ନାହିଁ । ତେଣୁ ପୁଣି ଏଥର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରିବ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ । ତେବେ କେତେକ ନିର୍ଦ୍ଦିଷ୍ଟ କାରଣ ପାଇଁ ଭଦ୍ରକରୁ ଧାମରା ରେଳପଥ ଅବରୋଧ କରିବା ନେଇ ତାରିଖ ସ୍ପଷ୍ଟ କରାଯାଇନାହିଁ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର ଏହି ସୂଚନା ଦେଇଥିବା ବେଳେ ସତ୍ୟ ପୁହାଣ, ଯୁବନେତା, ପ୍ରଦ୍ୟୁମ୍ନ ଦାସ, ରାଜୀବ ଗାନ୍ଧୀ ସେବା ସଂଗଠନ, ମନୋଜ ବିଶ୍ୱାଳ, ଆଶିଷ କୁମାର ମହାନ୍ତ ସମର୍ଥନ କରିଥିଲେ । ୯ ଦଫା ଦାବି ଅନୁଯାୟୀ, ଧାମରା ବନ୍ଦରରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନଦେବା, ଟ୍ରେନ ଯୋଗେ କୋଇଲା ପରିବହନ ବେଳେ ୱାଗନ ଗୁଡିକ ଉପରେ କଭର ନଦେବାରୁ ପ୍ରଦୂଷଣ ସହ କୋଇଲା ଚୋରି ହେଉଛି, ଟ୍ରେନ୍ ଲାଇନ ଯୋଗୁଁ ଚାଷ ଜମିକୁ ଜଳ ସେଚନ ହେଉନଥିବାରୁ କଲଭର୍ଟ ନିର୍ମାଣ କରିବା, ରେଳ ଲାଇନ ପାର୍ଶ୍ୱରେ ବୃକ୍ଷରୋପଣ ପରି ଦାବି ରଖି ଥିଲା ଯୁବ କଂଗ୍ରେସ । ତେବେ ରେଳରୋକ ପରେ କମ୍ପାନୀ କତ୍ତୃପକ୍ଷ ସମସ୍ୟା ସମାଧାନ ସହ ଦାବି ପୂରଣ କରିବା ନେଇ ପ୍ରତିଶୃତି ଦେଇଥିଲା । କିନ୍ତୁ ପ୍ରତିଶୃତି ଦିଆଯାଇଥିବା ସମୟ ଅତିକ୍ରାନ୍ତ ହୋଇ ଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ । ତେବେ ଏଥର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ କରିବ କଂଗ୍ରେସ । ଦାବି ପୂରଣ ନ ହେଲେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଭଦ୍ରକର ଯୁବକ ଓ ଭଦ୍ରକବାସୀଙ୍କ ସ୍ୱାର୍ଥ ପାଇଁ ଯୁବ କଂଗ୍ରେସ ଲଢ଼େଇ କରିବା ନିଷ୍ପତ୍ତି ନେଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।