Odiapua.com

ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସର, ସ୍ନାନ ପୂର୍ଣ୍ଣିମା ଦାରୁବ୍ରହ୍ମଙ୍କର ଆଦ୍ୟ ଲୀଳା

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନ ଯାତ୍ରା ଅନ୍ୟତମ। ଦେବସ୍ନାନ କିମ୍ବା ଜ୍ୟେଷ୍ଠ ସ୍ନାନର ପରମ୍ପରାକୁ ଶ୍ରୀ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ଅନ୍ତର୍ଗତ ପ୍ରଥମ ଯାତ୍ରା ରୂପେ ଗ୍ରହଣ କରାଯାଇଛି। କେବଳ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଅର୍ଥାତ ବର୍ଷରେ ଥରେ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି। ଅନ୍ୟ ସମୟରେ ଠାକୁରମାନଙ୍କୁ ମନ୍ତ୍ରସ୍ନାନ କରାଯାଏ। ଏହି ଦିନକୁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ଭାବେ ମଧ୍ୟ ପାଳନ କରାଯାଏ। ମହାପ୍ରଭୁଙ୍କ ଆବିର୍ଭାବ ସମୟରେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି ମଧ୍ୟ କୁହାଯାଏ। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଛାଡ଼ି ସ୍ନାନବେଦୀକୁ ବିଜେ କରନ୍ତି ଦାରୁବ୍ରହ୍ମ। ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରାଯିବା ପରେ ଆକର୍ଷଣୀୟ ହାତୀବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଶ୍ରୀ ମନ୍ଦିରରେ ପ୍ରଚଳିତ ଏହି ପ୍ରଥା ଗୁଡ଼ିକ ପାଇଁ ଜଗନ୍ନାଥ ତତ୍ତ୍ୱ ଭାରତୀୟ ସଂସ୍କୃତିରେ ଅନନ୍ୟ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସରରେ ଯୋଗଦେଇ ବିଶିଷ୍ଟ ଗବେଷକମାନେ ମତପ୍ରକାଶ କରିଛନ୍ତି। ନୂଆବଜାରସ୍ଥିତ ‘ଭାଗବତ କଲ୍ୟାଣ ମଣ୍ଡପ’ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରତିକାନ୍ତ ମହାନ୍ତି ଯୋଗଦେଇ ଶ୍ରୀ ଜଗନ୍ନାଥ ତ୍ତ୍ୱ ଉପରେ ସାରଗର୍ଭକ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତାଭାବେ ଅଜୟ କୁମାର ନାୟକ ଓ ଡ.ଗୋଲକ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ରଜପର୍ବ ଓ ସ୍ନାନ ପୂର୍ଣ୍ଣିମା ଉପରେ ସମ୍ୟକ ଆଲୋକପାତ କରିଥିଲେ। କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ସଂସଦର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ ସହସମ୍ପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍‌ସୂଚନା ଓ ମଞ୍ଚ ଆମନ୍ତ୍ରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ମହାନ୍ତି ଓ ଦୁଃଶାସନ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଡ.ରାମଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ପ୍ରୀତିଲତା ପଣ୍ଡା, ରମେଶ ସ୍ୱାଇଁ, ଅନୀଲ କୁମାର ଦାସ, ମମତା ରାଣୀ ଦାସ, ଜାନକୀ ପାଢ଼ୀ, ବସନ୍ତ ପାତ୍ର, ଅରୂପାନନ୍ଦ ନାୟକ, ବିଚିତ୍ରାନନ୍ଦ ଜେନା, ବିଜୟ ଜେନା ଓ ନବୀନ କୁମାର ପାତ୍ର ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କବି ଦିବ୍ୟସିଂ ଦାସଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।