ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସଲାମ ଧର୍ମରେ ଚନ୍ଦ୍ରଗଣନାକୁ ଆଧାର କରି ପ୍ରତ୍ୟେକ ବର୍ଷ ପର୍ବ ପାଳନ କରାଯାଇଥାଏ । ଇସଲାମିକ (ହିଜରୀ) କ୍ୟାଲେଣ୍ଡରର ଅନୁସାରେ ପବିତ୍ର ମହରମ ପର୍ବ ହେଉଛି ବର୍ଷର ପ୍ରଥମ ମାସ । ମହରମ ୧ ତାରିଖରୁ ମୁସଲମାନମାନଙ୍କ ନୂତନ ବର୍ଷ ଆରମ୍ଭ ହୁଏ । ୧ ତାରିଖରୁ ୧୦ ଦିନ ଯାଏ ମହରମ ପର୍ବ ପାଳିତ ହୁଏ । ୧୯ ତାରିଖ ସନ୍ଧ୍ୟା ପରଠୁ ପର୍ବ ପାଳନ ଆରମ୍ଭ ହେବ । ୨୦ ତାରିଖ ଗୁରୁବାର ଚନ୍ଦ୍ରର ପ୍ରଥମ ତାରିଖ ଓ ୨୯ ତାରିଖ ଶନିବାର ଚନ୍ଦ୍ରର ୧୦ ତାରିଖକୁ ୟମେ-ଆଶୁରା କୁହାଯାଏ । ଯାହାକୁ ବିଶ୍ୱରେ “ୟାଦେଁ ଏମାମ ହୋସେନ” ପର୍ବ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ଶେଷ ନବୀ ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଏମାମ ହୋସେନ କରବଲା ମଇଦାନରେ ଶତ୍ରୁ ଆଗରେ ନିଜକୁ ସମର୍ପଣ ନ କରି ଇସଲାମ ଧର୍ମ ପାଇଁ ନିଜ ପ୍ରାଣ ବଳିଦାନ ଦେଇଥିଲେ । ଏହି ୟାଦେଁ ଏମାମ ହୋସେନ ପର୍ବ ୧୪୪୫ ହିଜରୀ ବର୍ଷ ରୂପେ ପୁୁରୁଣାବଜାରସ୍ଥିତ ଜାମା ମସଜିଦଠାରେ ଖ୍ୱାଜା ଗରିବ ନୱାଜ କମିଟି ଆନୁକୁଲ୍ୟରେ ବୁଧୁବାର ସନ୍ଧ୍ୟାରେ ପାଳିତ ହୋଇଛି । ଏଥିରେ ମିଲାଦ ଶରିଫ ଏବଂ ଜାମା ମସଜିଦର ଇମାମ ମହମ୍ମଦ ସାଦିକ୍ ହୋସେନ ମହରମ ପର୍ବର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ ଏହାପରେ ଫାତେହା କାର୍ଯ୍ୟକ୍ରମ କରାଯାଇ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । କମିଟିର ସମ୍ପାଦକ କଲିମୁଦ୍ଦିନ ଖାଁ, ଉପସଭାପତି ଶେଖ ଅନୱର, ଗୁଲ ମହମ୍ମଦ ଖାଁ, କମାଲ ଖାଁ, ମିର ମହେବୁବ, ମିନହାଜ କାଦ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ମହରମ ପର୍ବ ଚଳିତ ମାସ ୨୯ ତାରିଖରେ ଭଦ୍ରକ ମୁସଲିମ ଜମାତ ତରଫରୁ ୪୧ଟି “କାଫେଲା” ଭଦ୍ରକ ସହର ପରିକ୍ରମା କରି ମଦିନା ମଇଦାନ ଓ ନଙ୍ଗାମହଲ୍ଲା ସ୍ଥିତ ମସଜିଦ ସମ୍ମୁଖରେ ଆସି ପହଂଚିବେ । ଉକ୍ତ ଦୁଇଗୋଟି ଜାଗାରେ ଧର୍ମସଭାର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକିତ୍ ଖାଁ ପ୍ରେସ ବିବୃତିରେ ଜଣାଇଛନ୍ତି ।