Odiapua.com

ପୁଲିସ ହାତରେ ନକଲି ସାମ୍ବାଦିକ

ବ୍ରହ୍ମପୁର, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ) :ପୁଣି ବ୍ରହ୍ମପୁରରେ ପୋଲିସ ଦ୍ୱାରା ନକଲି ସାମ୍ୱାଦିକ ଗିରଫ। ସହର ଉପକଣ୍ଠ ବାଲିପଡ଼ା ଗାଁରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିର ପରିସରକୁ ତିନି ଜଣ ଯୁବକ ଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜକୁ ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ୱାଦିକ ବୋଲି ପରିଚୟ ଦେଇଥିଲେ। ପରେ କ୍ୟାମେରାରେ ଛାତ୍ର ଛାତ୍ରୀ ମାନେ ଆସୁଥିବା ଅଟୋର ଭିଡିଓ ଉତ୍ତୋଳନ କରିବା ସହ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଭୟଭୀତ କରିଥିଲେ। ପରେ ଉପସ୍ଥିତ ଥିବା ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ନେଇ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ।

ପରେ ଗାଁ ଲୋକେ ଓ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ବିଦ୍ୟାଳୟକୁ ଯାଇ ସଂପୃକ୍ତ ନକଲି ସାମ୍ୱାଦିକଙ୍କ ସହ ଆଲୋଚନା କରିଥିଲେ। ଏଥିରେ ସନ୍ଦେହ ଆସିବାରୁ ତାଙ୍କୁ ପରିଚୟ ପତ୍ର ଆଦି ଦେଖାଇବାକୁ କହିଥିଲେ। ଏହାପରେ ନକଲି ସାମ୍ୱାଦିକ ମାନେ ସଠିକ ଉତ୍ତର ଦେଇନଥିବା ବେଳେ ସେମାନଙ୍କ ହାବଭାବ ଦେଖି ବିଦ୍ୟାଳୟ ପରିସରରେ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ବିଦ୍ୟାଳୟରେ ପହଞ୍ଚି ତିନି ନକଲି ସାମ୍ୱାଦିକ ଓ ତାଙ୍କ ସହଯୋଗୀ ଡ୍ରାଇଭରକୁ ଥାନାକୁ ଆଣି ଅଧିକା ତଦନ୍ତ କରିବା ସହ ପଚରାଉଚୁରା କରିବା ପରେ ନକଲି ପରିଚୟ ପତ୍ର, ନକଲି ବୁମ ତିଆରି କରିଥିବା ସ୍ୱିକାର କରିଥିଲେ।