Odiapua.com

ପୁଲିସ ପେଟ୍ରୋଲିଂ ବେଳେ ଧରାପଡ଼ିଲେ ୩ ବ୍ରାଉନସୁଗର ବେପାରୀ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ଧା ହେଲେ ୩ ବ୍ରାଉନସୁଗର ବେପାରୀ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୁଲିସ ୩ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦. ୫୮ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏହାସହ ସେମାନେ ବ୍ୟବହାର କରୁଥିବା ଏକ ବାଇକ୍ ଓ ୩ଟି ମୋବାଇଲ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାସୁଦେବପୁର ଥାନା ଅଧୀନ ଉରୁଣିଆ ଗ୍ରାମର ମନୋଜ କୁମାର ଦାସ, ଲୁଙ୍ଗାଉରୁଣିଆ ଗ୍ରାମର ଶିବ ସୂତାର ଏବଂ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ଚାରିଘରିଆ ଗ୍ରାମର ଗୀତାରାଣୀ ବେହେରା। ଏନେଇ ଏଏସ୍‌ପି ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ୩ ଜଣ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପେଟ୍ରୋଲିଂରେ ଥିବା ଏସ୍‌ଆଇ ପ୍ରକାଶ ନାୟକ ଓ କେତେକ କନଷ୍ଟେବଳ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇଥିଲେ। ପରେ ଆଇଆଇସି ନାୟକ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ତେବେ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଚାଲିଥିବା ଏଏସ୍‌ପି ବେହେରା କହିଛନ୍ତି।