Odiapua.com

ପୁଲିସ ଉପସ୍ଥିତିରେ ଜବରଦଖଲ ଗୋଚର ଜମି ମାପ

ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ଖାନନଗର ପଞ୍ଚାୟତରେ ଗୋଚର ଜମି ଜବରଦଖଲକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତିକୁ ଏଡ଼େଇବା ପାଇଁ ସଦର ସହସିଲର ଏକ ଟିମ୍ ଆଜି ମାପଜୁପ୍ କରିଛି। ସଦର ତହସିଲଦାର ପଞ୍ଚାନନ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଖାନନଗର ପଡ଼ିଆ ଗୋଚର ଜମିରେ ନିର୍ମାଣଧୀନ ମନ୍ଦିର ଓ ଗୃହ ନିର୍ମାଣ ପାଇଁ ଦଖଲ ଗୋଚର ଜମିକୁ ଯାଞ୍ଚ କରିଛନ୍ତି। ଏହି ଗ୍ରାମର ୪୬୯ନଂ ଖାତା ଓ ୫୫୮ ନଂ ଖସଡ଼ାରେ ଥିବା ୧୧ଏକର ୧ ଡିସିମିଲ ଗୋଚର ଜମିରେ ଆବାହମାନ କାଳରୁ ଗୋରୁଗାଈ ଚରିବା ସହିତ ସ୍କୁଲ କଲେଜର ପିଲାମାନେ ଖେଳପଡ଼ିଆ ଭାବେ ବ୍ୟବହାର କରିଆସୁଥିଲେ। ମାତ୍ର ଗତ କିଛିଦିନ ଧରି କେତେକ ସ୍ଥାନୀୟ ବାସିନ୍ଦା ଓ ଏହି ଗ୍ରାମର ଜ୍ୱାଇଁ ପୁଲିସ ଇନ୍‌ସ୍ପେକ୍ଟର ଦୀପକ କୁମାର ଜେନା(କରୋନା ବେଳେ ପୁରୀ ଶ୍ରୀମନ୍ଦିର ପ୍ରବେଶ ସହ ବିବାଦୀୟ ହୋଇଥିବା) କିଛି କିଛି ଗୋଚର ଜମିକୁ ଜବରଦଖଲ କରିଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ପୁଲିସ ଜ୍ୱାଇଁ ଶ୍ରୀ ଜେନାଙ୍କ ପରାମର୍ଶ କ୍ରମେ ଶ୍ୱଶୁର ଘର ଲୋକଙ୍କ ସମେତ ଅନ୍ୟ କେତେକ ପରିବାର ମନ୍ଦିର ନିର୍ମାଣ କରିବା ଆଳରେ ପ୍ରଥମେ କିଛି ଜମି ଓ ପରେ ଅଧିକ ଜମିକୁ ଦଖଲ ପାଇଁ ଉଦ୍ୟମ କରିଥିବା ଦେଖି ଗ୍ରାମର ଅନ୍ୟମାନେ ମଧ୍ୟ ନିଜ ନିଜ ଜମିପାର୍ଶ୍ୱ ଖାଲି ପଡ଼ିଥିବା ଗୋଚର ଜମିକୁ ଦଖଲ ଆରମ୍ଭ କରିଥିଲେ। ଅଦ୍ୟାବଧି ସମ୍ପୃକ୍ତ ୧୧ ଏକର ଜମିରୁ ୩ ଏକରରୁ ଊର୍ଦ୍ଧ୍ୱ ଜାଗା ସମେତ ଗ୍ରାମର ଅନ୍ୟାନ୍ୟ ସରକାରୀ ଜମି ଜବରଦଖଲକାରୀଙ୍କ କବଜାକୁ ଚାଲିଯିବା ଦେଖି କେତେକ ବୁଦ୍ଧିଜୀବୀ ଏଥିରେ ହସ୍ତକ୍ଷେପ କରିବା ସହ ସଦର ତହସିଲଦାରଙ୍କ ନିକଟରେ ଅଭିଯୋଗ କରଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ମଧ୍ୟ ଥରେ ଏହି ଜମି ମାପଜୁପ ହୋଇଥିଲା। ମାତ୍ର ଜବର ଦଖଲକାରୀମାନେ ଏହି ମାପକୁ ନ ମାନିବା ଦେଖି ପୁଲିସ ଫୋର୍ସ ସହ ସହସିଲ ଟିମ୍ ଆଜି ମାପ କରିଥିଲା। ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ମାପ ବେଳେ ସଦର ଥାନା ପୁଲିସ ସମେତ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ମାପ ପରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ସେଠୀ ସୂଚନା ଦେଇଛନ୍ତି।