ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୬ ତାରିଖରେ ବିଜେପି ତରଫରୁ ଏକ ଗଣବିକ୍ଷୋଭ ଓ ରାଲି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଓବିସି ସଂରକ୍ଷଣ କୋଟାକୁ ଉଚ୍ଛେଦ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଆଗେଇ ଚାଲିଛନ୍ତି । ଏଭଳି ଅଗଣତାନ୍ତ୍ରିକ ମନୋଭାବ ଓ ପ୍ରକ୍ରିୟା ବିରୁଦ୍ଧରେ ବିଜେପି ଭଦ୍ରକରେ ଆନ୍ଦୋଳନ କରିଥିଲା । ଦଳର ପ୍ରତିବାଦ ସଭା ଜାରି ରହିଥିବା ବେଳେ କେତେକ ଅଚିହ୍ନା ଯୁବକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ହତା ଭିତରକୁ ପଶି ବ୍ୟାନର ଆଦି ଚିରାଚିରି କରିଥିଲେ । ପଞ୍ଚାୟତ ନିର୍ବାଚନ ସଂରକ୍ଷିତ ପଞ୍ଚାୟତ ଧାରା ସମ୍ପୂର୍ଣ୍ଣ ଅଗଣତାନ୍ତିକ ଓ ସରକାରୀ ଦଳର ପରାମର୍ଶରେ ହେଲାପରି ଅନୁମାନ କରାଯାଉଛି । ଯାହାକୁ ପ୍ରତିବାଦ କରି କିଛି ଯୁବକ ଏପରି ଆଇନକୁ ହାତକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିବା ବେଳେ ପୁଲିସ ଶାସକ ଦଳର ହାତବାରିସୀ ହୋଇ ଜିଲ୍ଲା ତମାମ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରୁଛି । ଏଫ୍ଆଇଆର୍ରେ ୯ଜଣଙ୍କ ନାମ ଥିଲା ବେଳେ ଏବଂ ଅନ୍ୟାନ୍ୟ ଆଳରେ ଯାହାକୁ ପାରୁଛି ବାନ୍ଧୁଛି । ନୀରିହ କାର୍ଯ୍ୟକର୍ତ୍ତା ଯେଉଁମାନେ କେବେ ଆଇନ ଶୃଙ୍ଖଳା ଭଙ୍ଗ କରନ୍ତି ନାହିଁ, ଯେଉଁମାନେ ସଭା ସ୍ଥଳକୁ ଆଦୌ ଆସି ନାହାନ୍ତି, ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେହଭଳି କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଜୋର ଜବରଦସ୍ତ ଗିରଫ କରୁଛି । ଯାହାକୁ ବିଜେପି ବରଦାସ୍ତ କରିବ ନାହିଁ । ପୁଲିସ ଶାସକ ଦଳର ଇଙ୍ଗିତରେ ଗିରଫଦାରୀ ଚଲାଇଛି । ଆଜିଠାରୁ ଯଦି ଆଉ ଜଣେ କାହାକୁ ପୁଲିସ ଏହି ମାମଲାରେ ଗିରଫ କରେ ତେବେ ବିଜେପି କଠୋର ପନ୍ଥା ଗ୍ରହଣ କରିବ । ଜିଲ୍ଲା ତମାମ୍ ଫାଣ୍ଡି ଠାରୁ ଆରମ୍ଭ କରି ଏସ୍ପି ଅଫିସ ପର୍ଯ୍ୟନ୍ତ ଆନ୍ଦୋଳନକୁ ନିଆଯିବ ବୋଲି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଚେତାବନୀ ଦେଇଛନ୍ତି । ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀଙ୍କ ପୌରୋହିତ୍ୟରେ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ସେଠୀ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନକୁ ଏହି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ଜିଲ୍ଲା ସମ୍ପାଦକ ମନୋଜ ମଲ୍ଲିକ, ଶଶିକାନ୍ତ ବିଶ୍ୱାଳ, ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ବୁଦ୍ଧଦେବ ଜେନା, ବାସୁଦେବପୁର ନେତା ମାଧବାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।