Odiapua.com

ପୁଲିସ୍ ମଦ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ, ଚାକିରୀରୁ ନିଲମ୍ବିତ କଲେ ଜିଲା ଆରକ୍ଷୀ ଅଧୀକ୍ଷକ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳ ଥାନାର ଜଣେ କାର୍ଯ୍ୟରତ ପୁଲିସ୍ କର୍ମଚାରୀ ଜଣେ ଯୁବକର କେଶ୍ ରଫାଦଫା କରିଦେବାକୁ ନେଇ ମଦ ମାଗିବା ଓ ତାହା ନେଉଥିବାବେଳେ ଉକ୍ତ ଭିଡିଓ ଭାଇରାଲ ହେବା ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ନିଲମ୍ବିତ କରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗବସାହିର ଜଣେ ଯୁବକର ଏକ କେଶ୍‌ରୁ ନାମ କାଟିଦେବା ପାଇଁ ସହରାଞ୍ଚଳ ଥାନାର ଏଏସ୍‌ଆଇ ବୀର ବେହେରା ମଦ ମାଗିଥିଲେ । ଏବଂ ଯୁବକ ଜଣକ ତାଙ୍କୁ ମଦ ଦେଉଥିବାବେଳେ ତାହାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା । ସଂପୃକ୍ତ ଥାନା ଏଏସ୍‌ଆଇ ଶ୍ରୀ ବେହେରା ଯୁବକଙ୍କ ଠାରୁ ମଦ ନେବା ସହ ଅଧିକ ମଦ ପାଇଁ ଅଶ୍ଳୀଳ ଭାଷା କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ତେବେ ଏଥିନେଇ ପୁଲିସ୍ ପକ୍ଷରୁ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିଲେ ମଧ୍ୟ ଶ୍ରୀ ବେହେରାଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଥିବାର ଜଣାପଡିଛି ।