Odiapua.com

ପୁଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିଜେପି ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟିଲେ

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ପୁଲିସ ଏହି ଥାନା ଅନ୍ତର୍ଗତ ତାମ୍ପଳା ଗ୍ରାମର ଅଭିରାମ ଜେନାଙ୍କ ପରିବାରକୁ ନିର୍ଯାତନା ଦେବା ଘଟଣାକୁ ବିରୋଧ କରି ଆଜି ବିଜେପି ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଛନ୍ତି । ମାମଲା ଦଫାରାଫ ପାଇଁ ଲାଞ୍ଚ ନେଇ ପୁଲିସ ଓଲଟି ପରିବାର ଲୋକଙ୍କୁ ମାଡ ମାରିଛି । ଅଭିରାମ ଜେନାଙ୍କ ବଡଭାଇ ମାଗୁଣି ଜେନା ସହ ମାଙ୍କିଡିଆ ଗ୍ରାମର ନିତ୍ୟାନନ୍ଦ ବେହେରା, ନିରଞ୍ଜନ ବେହେରା ଏବଂ ସମ୍ବର୍ଗତ ବିଦ୍ୟାଧର ଜେନାଙ୍କ ପରିବାର ସହ ରହିଥିବା ଜମିବାଡି ବିବାଦର ସମାଧାନ ପାଇଁ ଥାନା ଅଧିକାରୀ ଲାଂଚ ମାଗିଥିଲେ । ମୁଲଚାଲ ବାବଦକୁ ହୋଇଥିବା ପଇସାର ଅଧା ମଧ୍ୟ ଥାନାବାବୁ ନେଇଛନ୍ତି । ପରେ ମାଗୁଣି ଜେନାଙ୍କ ପରିବାର ଦାଉ ସାଜି ନିଜ ଜାଗା ଉପରେ ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଘରକୁ ବନ୍ଦ କରିଛନ୍ତି । ବାକି ରହିଥିବା ଲାଂଚ ବାବଦକୁ ଟଙ୍କା ନ ପାଇ ଘରେ ପଶି ମାଗୁଣିଙ୍କୁ ବାଡିରେ ମାଡ ମାରିବା ସହିତ ପରିବାର ଲୋକଙ୍କୁ ଅଶାଳୀନ ବ୍ୟବହାର କରିଛନ୍ତି । ଏହି ଘଟଣା ବିରୁଦ୍ଧରେ ନ୍ୟାୟ ପାଇଁ ବିଜେପି ପ୍ରତିନିଧି ଦଳରେ ରାଜ୍ୟ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସମାଲ, ଭଦ୍ରକ ଜିଲ୍ଳା ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା ନେତା ଡା. ପ୍ରଦୀପ ନାୟକ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରୀନାରାୟଣ ଧଳ, ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଶଶୀକାନ୍ତ ବିଶ୍ୱାଳ, ଦୈତାରୀ ଜେନା, ଯୁବନେତା ବିକାଶ ଶ୍ରେଷ୍ଠା, ଉଦୟ ନାରାୟଣ ମଲ୍ଲିକ, ଅନିଲ ବେହେରା ପ୍ରମୁଖ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଦାବି କରିଛନ୍ତିି ।