Odiapua.com

ପୁର୍ତ୍ତରାସ୍ତା ନିର୍ମାଣ, ଡାଇଭରସନ ରୋଡରେ ଯାଇପାରୁନି ଆମ୍ବୁଲାନ୍ସ , ରାସ୍ତା ପାଇଁ ବିପଦ ବେଆଇନ ହମ୍ପସ୍‌, ଚୋରାବାଲି ଟ୍ରାକ୍ଟର ଓ ହାଇୱା ଗାଡି

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ମଣିନାଥପୁର ଜୋରସେତୁ ନିର୍ମାଣ ମନ୍ଥର ଗତିରେ ଚାଲୁଛି ଓ ଏହାର ଡାଇଭରସନ ରୋଡରେ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁ ନାହିଁ । ଏହି ସେତୁ ଦୁଇ ମାସରେ ସରିବା କଥା । ମାତ୍ର ପାଞ୍ଚମାସ ପରେ ମଧ୍ୟ ଅଧା ହୋଇ ନାହିଁ । ପୁନଶ୍ଚ ପୁରୁଣା ସେତୁକୁ ମଝିରେ ରଖି ଚତୁଃପାଶ୍ୱର୍ରେ କେବଳ ସେତୁର ପରିସର ବୃଦ୍ଧି କରାଯାଉଛି । ଏଭଳି ସ୍ଥିତିରେ ନିର୍ମାଣ ଅଧିକ ସହଜ ହୋଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ ମନମୁଖି ଭାବେ କରାଯାଉଛି । ଅନୁରୂପ ଭାବେ ସର୍ତ୍ତାନାଳ ସେତୁ ନିର୍ମାଣ ଚାଲୁଛି । ଏହାର ଡାଇଭରସନ ରୋଡ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ରାସ୍ତା ଉପରେ ନିର୍ଭରଶୀଳ ହଜାର ହଜାର ଜନସାଧାରଣ ଯାତାୟତରେ ଗୁରୁତର ଅସୁବିଧା ଭୋଗୁଛନ୍ତି । ଶନିବାର ମଣିନାଥପୁର ଜୋର ପୋଲ ଡାଇଭରସନ ରୋଡ ଉପରେ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକି ଯାଇଥିଲା । ଏଥିନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ପରେ ରାସ୍ତାକୁ ମରାମତ କରାଯାଇଥିଲା । ଏହି ଡାଇଭରସନ ରାସ୍ତାରେ ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବେଆଇନ ଭାବେ ନିର୍ମାଣ କରାଯାଇଥିବା ବହୁମାତ୍ରାରେ ଅଧା ଓ ପୂର୍ଣ୍ଣ ହମ୍ପସ୍ ସହ ଅହରହ ଚଳାଚଳ କରୁଥିବା ଚୋରା ବାଲିବୋଝେଇ ହାଇୱା ଗାଡି ଓ ସ୍ଥାନୀୟ ଅଞ୍ଚଳର ଚାଳିଶ ରୁ ଅଧିକ ଚୋରା ବାଲିବୋଝେଇ ଟ୍ରାକ୍ଟର ଏହି ରାସ୍ତା ପାଇଁ ବିପଦ ବୋଲି ଉଭୟ ଜନସାଧାରଣ ଓ ବିଭାଗ ପକ୍ଷରୁ ମତ ପ୍ରକାଶ ପାଇଛି । ତହସିଲ ଓ ପୁଲିସର ଅନୁକମ୍ପା ଯୋଗୁଁ ଲକଡାଉନ ସମୟରେ ଲଗାଯାଇଥିବା କଟକଣାରୁ ଚୋରା ବାଲିବୋଝେଇ ଗାଡିଗୁଡିକ ମୁକ୍ତ ଥିବା ଜଣାଯାଇଛି । ତେବେ ରାସ୍ତା ନିର୍ମାଣ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ଓ ଜୁନ ମାସ ସୁଦ୍ଧା ସର୍ତ୍ତା ଓ ଜୋରପୋଲ ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରାଯାଇ ଯାତାୟତ ଉପଯୋଗୀ କରାଯିବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ମତ ଦେଇଛନ୍ତି ।