Odiapua.com

ପୁରୁଷଣ୍ଢ ସମିତିରେ ଚାଷୀଙ୍କ ଧାରଣା

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ସେବା ସମବାୟ ସମିତି କାର୍ଯ୍ୟଳୟ ସାମ୍ନାରେ ଧାନବିକ୍ରୀ କରି ନ ପାରି ଚାଷୀମାନେ ଧାରଣା ଦେଇଛନ୍ତି। ସୂଚନା ଅନୁଯାୟୀ;ଏହି ସମିତିରୁ ଧାନ ବିକ୍ରୀ କରିବା ପାଇଁ ଚାଷୀମାନେ ଟୋକନ ପାଇଥିଲେ ମାତ୍ର ନିର୍ଦ୍ଧାରୀତ ଅବଧି ପରେ ମଧ୍ୟ ଏହି ଧାନକୁ ସମିତି ନ ନେବା ଫଳରେ ଖୋଲା ଆକାଶ ତଳେ ରହିଥିବା ଧାନର ମାନ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି। ଏହି କୃତ୍ରୀମ ଅଭାବୀ ଧାନ ବିକ୍ରୀ ପ୍ରତିବାଦରେ ଆଜି ସ୍ଥାନୀୟ ଅଂଚଳର ଚାଷୀମାନେ ଧାନବସ୍ତା ରଖି ଧାରଣାରେ ବସିଥିଲେ। ଚାଷୀମାନଙ୍କ ସହ ବିଜେପି ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ରାଜୀବ ଲୋଚନରାୟ, ରବିନ୍ଦ୍ର ନାୟକ, ଅମୂଲ୍ୟ ରତ୍ନ ନନ୍ଦ, ଅଶୋକ ପରିଡ଼ା ପ୍ରମୁଖ ଏହି ଧାରଣାକୁ ସମର୍ଥନ କରି ଏଥିରେ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇପାରି ନଥିଲା। ଖବର ଲେଖା ହେବା ବେଳକୁ ଧାରଣା ଅବ୍ୟାହତ ରହିଥିଲା। ସରକାରୀ ନିର୍ଦ୍ଦେଶ ଆସିଲେ ଧାନ ଉଠାଯିବ ବୋଲି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି। ସୂଚନା ଯୋଗ୍ୟ;ଏହି ସମିତିରେ ଖୋଲା ଯାଇଥିବା ମଣ୍ଡିରୁ ପ୍ରଭାବଶାଳୀ ଲୋକମାନଙ୍କ ଧାନ ଉଠୁଥିବା ବେଳେ ସାଧାରଣ ଚାଷୀମାନଙ୍କର ଧାନ ମାସମାସ ଧରି ଏଠାରେ ପଡ଼ିରହୁଛି ବୋଲି ଅଭିଯୋଗ ହେଉଛି।