Odiapua.com

ପୁରୁଣା ପେନ୍‌ସନ୍ ଦାବିରେ ରେଳ କର୍ମଚାରୀଙ୍କ ଜିଲ୍ଳାସ୍ତରୀୟ ପେନ୍‌ସନ୍ ସଂକଳ୍ପ ସମାବେଶ

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭାରତୀୟ ରେଲୱେ କର୍ମଚାରୀ ପୁରୁଣା ପେନସନ୍ ସଂଘର୍ଷ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଶାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଭାରତୀୟ ରେଲୱେ କର୍ମଚାରୀ ପୁରୁଣା ପେନସନ୍ ସଂଘର୍ଷ ସମିତି ଏବଂ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ମିଳିତ ସହଯୋଗରେ ଭଦ୍ରକ ଷ୍ଟେସନ ଠାରେ ଏକ ବିଶାଳ ରାଷ୍ଟ୍ରୀୟ ପେନ୍‌ସନ୍ ଯୋଜନା ଜାଗରୁକତା ତଥା ଜିଲ୍ଲାସ୍ତରୀୟ ପେନସନ୍ ସଂକଳ୍ପ ସମାବେଶର ଆୟୋଜନ ହୋଇଥିଲା । ଉକ୍ତ ସମାବେଶରେ ଶତାଧିକ ରେଲୱେ କର୍ମଚାରୀ, ପ୍ରାଥମିକ ଶିକ୍ଷକ ଏବଂ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ଯୋଗଦାନ କରିଥିଲେ । ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ସରକାରୀ କର୍ମଚାରୀମାନଙ୍କୁ ବନ୍ଦ ହୋଇଥିବା ପୁରୁଣା ପେନ୍‌ସନ୍‌କୁ ପୁନଃ ଲାଗୁ କରିବା । ଭାରତ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୧.୧.୨୦୦୪ରୁ ଏବଂ ଓଡ଼ିଶା ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ୧.୧.୨୦୦୫ରୁ ପୂର୍ବ ପ୍ରଚଳିତ ପୁରୁଣା ପେନସନ୍‌ଙ୍କୁ ରଦ୍ଦ କରି ରାଷ୍ଟ୍ରୀୟ ପେନସନ୍ ଯୋଜନାକୁ ପ୍ରଚଳନ କରିଥିଲେ । ଯୋଜନା ଅନ୍ତର୍ଭୁକ୍ତ ସରକାରୀ କର୍ମଚାରୀ ସେବା ନିବୃତ୍ତ ପରେ ଆର୍ଥିକ, ପାରିବାରିକ ଓ ସାମାଜିକ ଘାତ ପ୍ରତିଘାତରେ ଗତି କରୁଛନ୍ତି । କାରଣ ସେମାନଙ୍କୁ ମାସକୁ ବହୁତ ନିମ୍ନ ପେନସନ୍ ମିଳୁଅଛି । ଉକ୍ତ ସମାେବେଶରେ ମୁଖ୍ୟ ଅତିଥି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଖଗେନ୍ଦ୍ର ନାଥ ପାଳ ଯୋଗ ଦେଇ କହିଥିଲେ ଯେ ଆମେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ପୁରୁଣା ପେନ୍‌ସନ୍ ଦାବି ଉପସ୍ଥାପନ କରିଆସୁଛୁ ।

ଭବିଷ୍ୟତରେ ଯଦି ରାଜ୍ୟ ସରକାର ପୁରୁଣା ପେନସନ୍ ପୁନଃ ଲାଗୁ ନକରନ୍ତି ତେବେ ଖୁବ୍ ଶୀଘ୍ର ଭୁବନେଶ୍ୱରରେ ବିଶାଳ ପେନସନ୍ ଜନସମାଗମ ଆୟୋଜିତ ହେବ ବୋଲି କହିଥିଲେ । ସମାବେଶରେ ସଭାପତିତ୍ୱ କରୁଥିବା ସୁଶାନ୍ତ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଭାରତ ସରକାର ଓ ରାଜ୍ୟ ସରକାର ତୁରନ୍ତ ପୁରୁଣା ପେନସନ୍ ପୁନଃ ପ୍ରଚଳନ ନକରନ୍ତି ତେବେ ଏକ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ଦେଶର ରାଜଧାନୀ ନୂଆଦିଲ୍ଲୀରେ ୮ଜୁଲାଇ ୨୦୨୩ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ନିକଟ ଭବିଷ୍ୟତରେ ଏକ ବିଶାଳ ପେନସନ୍ ଆକ୍ରୋଶ ରାଲି ଆହ୍ୱାନ କରାଯିବ । ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ ସେହି ସରକାରଙ୍କୁ ଦିଆଯିବ ଯିଏ ପୁରୁଣା ପେନସନ୍ ପୁନଃ ଲାଗୁ କରିବେ । ଉକ୍ତ ସମାବେଶରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଅରବିନ୍ଦ ଦିକ୍ଷୀତ, ଜିଲ୍ଲା ସମ୍ପାଦକ ପ୍ରଣୟ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ତବରେଜ ଖାନ, ଜିଲ୍ଲା ସହାସଚିବ ଜ୍ୟୋତିର୍ମୟ ଅଗସ୍ତି ତଥା ଭାରତୀୟ ରେଲ କର୍ମଚାରୀ ପୁରୁଣା ପେନସନ୍ ସଂଘର୍ଷ ସମିତିର ମଣ୍ଡଳ ଅଧ୍ୟକ୍ଷ ଚନ୍ଦ୍ରଶେଖର ଷଡ଼ଙ୍ଗୀ, ଶାଖା ସଭାପତି ଜିତେନ୍ଦ୍ର କୁମାର ପଣ୍ଡା, ଶାଖା ମହାସଚିବ କେ.ସି. ଆଚାର୍ଯ୍ୟ ଏବଂ ଶାଖା ଯୁଗ୍ମ ସଂପାଦକ ଶରତ କୁମାର ମଲ୍ଲିକ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।