Odiapua.com

ପୁରୁଣା ପେନସନ ଲାଗୁ ଦାବିରେ ଶିକ୍ଷକ ଆନ୍ଦୋଳନ ୨୩ରେ

ହାଟଡିହି -୧୮/୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁରୁଣା ପେନସନ ଲାଗୁ ଦାବିରେ ଆସନ୍ତା ୨୩ତାରିଖରୁ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି । ହାଟଡିହି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରାମଚଣ୍ଡୀ ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁରେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରଫୁଲ କୁମାର ମଣ୍ଡଳ, ଜ୍ଞାନ ରଞ୍ଜନ ବେହେରା, ରଘୁନାଥ ନାୟକ, ଶଶିଭୂଷଣ ପୁହାଣ, କେଶବ କର, ପ୍ରଦୀପ ଦେହୁରୀ, ପ୍ରସନ୍ନ ମହାନ୍ତି, ସୁଶାନ୍ତ ମାଝୀ, ସୁର୍ଯ୍ୟପ୍ରକାଶ ସେଠୀ, ଗୟାଧର ମିଶ୍ର, ବିଶ୍ୱମ୍ବର ସାହୁ, ରାମଚନ୍ଦ୍ର ଦୋରା, ବୃନ୍ଦାବନ ଡାକୁଆ, ବସନ୍ତ ନାୟକ, ସୁବାସ ଜେନା, ଆର୍ତ୍ତ ଜେନା, ଖେଲୁନ ମହମଦ, ସୁବାସ ପରିଡାଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ସରକାରଙ୍କ ଏହି ନିଷ୍ପତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ରାଜ୍ୟ ସରକାର ୬ବର୍ଷ ଠିକା ନିଯୁକ୍ତିରେ ଶିକ୍ଷକଙ୍କୁ କମ୍ ଦରମା ଦେଇ କାମ କରାଉଛନ୍ତି । ସବୁ ରାଜ୍ୟରେ ଶିକ୍ଷକଙ୍କୁ ସପ୍ତମ ବେତନ କମିସନରେ ୪୨ଶହ ଗ୍ରେଡ ପେ ଦେଇ ଦରମା ସଂଶୋଧନ କରାଯାଇଛି । ହେଲେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ କମିସନରେ ଗ୍ରେଡପେ ୨୨ଶହ ଟଙ୍କା ଦେଇ ଦରମା ସଂଶୋଧନ କରାଯାଇଛି । ଯାହାକି ଅନ୍ୟ ରାଜ୍ୟର ଶିକ୍ଷକଙ୍କ ଠାରୁ ବହୁତ କମ୍ । ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବାକୁ କହିଥିବାବେଳେ ସରକାର ଏହାକୁ ମାନୁ ନାହାନ୍ତି । ଶିକ୍ଷା ଅଧିକାର ଆଇନରେ ସମସ୍ତ ଶିକ୍ଷକଙ୍କୁ ପେନସନ, ଗ୍ରାଚୁଇଟ, ମେଡିକାଲ ଭତ୍ତା, ଭବିଷ୍ୟନିଧି ପାଣ୍ଠି, ଡାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବିମା, ଓ ଅବସର କାଳୀନ ସୁବିଧା ସୁଯୋଗ ଦେବାକୁ ରାଜ୍ୟ ସରକାର ଆଇନ୍ କରିଥିବାବେଳେ ତାହାକୁ ନିଜେ ଉଲଙ୍ଘନ କରିଛନ୍ତି । ୨୦୦୫ ମସିହାରୁ ନୁତନ ପେନସନ ଦ୍ୱାରା ଶିକ୍ଷକ ଅବସର ନେଲେ ମାତ୍ର ପାଞ୍ଚଶହରୁ ରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି । ଯାହାଦ୍ୱାରା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି । ଏ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉଛେଦ ହୋଇଥିବାବେଳେ ବିଧାୟକ ଓ ସାଂସଦଙ୍କୁ କାହିଁକି ଦିଆଯାଉଛି, ଯଦି ସେମାନଙ୍କୁ ମିଳୁଛି ତେବେ ଶିକ୍ଷକ ଓ କର୍ମଚାରୀଙ୍କୁ ୨୦୦୫ମସିହା ପୁର୍ବ ପ୍ରଚଳିତ ପେନସନବ୍ୟବସ୍ଥା ଲାଗୁ କରାଯାଉ ବୋଲି ସଂଘ ବୈଠକରେ ଆଲୋଚନା କରାଯାଇଥିଲା । ଏହାସହ କେନ୍ଦ୍ରୀୟ ହାରରେ ଦରମା, ଶିକ୍ଷା ସହାୟକ କାର୍ଯ୍ୟକାଳକୁ ଚାକିରୀରେ ଗଣନା କରନ୍ତୁ ବୋଲି ବୈଠକରେ ଦାବୀ ଉପସ୍ଥାପିତ ହୋଇଥିଲା । ଏଥିପାଇଁ ଆସନ୍ତା ୨୩ରେ ଭୁବନେଶ୍ୱରରେ ଶିକ୍ଷକ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହେବାକୁ ନିଷ୍ପତି ନିଆଯାଇଥିଲା ।