Odiapua.com

ପୁରୁଣା ପେନସନ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଗବତ କଲ୍ୟାଣ ମଣ୍ଡପରେ ପୁରୁଣା ପେନ୍‌ସନ୍ ମହାରାଲି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭଦ୍ରକ ଜିଲ୍ଲା ଶାଖାର ସଭାପତି ସଞ୍ଜୟ ନନ୍ଦ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ରାଜ୍ୟ ସଂଘର ଉପଦେଷ୍ଟା ଉତ୍ତମ କୁମାର ଦାସ ଏବଂ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଯୋଗ ଦେଇଥିଲେ । ରାଜ୍ୟ ସଂଘର ସଭାପତି ବିଜୟ ମଲ୍ଲ ଓ ସମ୍ପାଦକ ବଙ୍କିମ କୁମାର ସାଗରଙ୍କ ନେତୃତ୍ୱରେ ଚଳିତ ଡିସେମ୍ବର ମହାରାଲିରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଏନପିଏସ କର୍ମଚାରୀ ଯୋଗ ଦେବେ ବୋଲି ଆହ୍ୱାନ ଦେଇଛନ୍ତି । ପ୍ରଚଳିତ ହୋଇଆସୁଥିବା ପୁରୁଣା ପେନସନ୍‌କୁ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଯଥାକ୍ରମେ ଉଭୟ କେନ୍ଦ୍ର ଓ ଓଡିଶା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି । ଯାହାକି କୌଣସି ଭବିଷ୍ୟତ ସୁନିଶ୍ଚିତତା ନଥିଲା ବେଳେ ସମସ୍ତ କର୍ମଚାରୀଙ୍କ ଜୀବନ ଓ ଚାକିରୀରୁ ଅବ୍ୟାହତ ନେବା ଜୀବନକୁ ଅନ୍ଧକାର ଓ ସଙ୍କଟ ମୁହଁକୁ ଟାଣିଆଣିଛି । ଅନ୍ୟ ପକ୍ଷରେ ସ୍ୱତଃ ଜନସେବା କରୁଥିବା ରାଜନୈତିକ ନେତାମାନଙ୍କର ଜୀବନକୁ ସରଳ ଓ ସୁଖମୟ କରିବା ପାଇଁ ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ଅତୁଟ ରଖାଯାଇଛି ।

ଦୀର୍ଘ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ନିଜ ଜୀବନକୁ ଦେଶ ଓ ଜନସେବା ପାଇଁ ଉଦ୍ଦିଷ୍ଟ କରିଥିବା ଉଭୟ କେନ୍ଦ୍ର ଓ ଓଡିଶା ରାଜ୍ୟ ସରକାର କର୍ମଚାରୀମାନଙ୍କୁ ସମ୍ବିଧାନ ବିଧି ବ୍ୟବସ୍ଥାରେ ଥିବା ପୁରୁଣା ପେନସନ୍ ବ୍ୟବସ୍ଥାକୁ ବଞ୍ôଚତ କରି ନୂତନ ପେନସନ୍ ବ୍ୟବସ୍ଥାକୁ ଲାଗୁ କରି ଅବସରକାଳୀନ ଜୀବନକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଥିବା ସଂଗେ ସଂଗେ ପରିବାରର ଆଗାମୀ ଦାୟାଦ ପାଖରେ ସେମାନଙ୍କୁ ଏକ ଅତିରିକ୍ତ ବୋଝ ପ୍ରସ୍ତୁତ କରିଛନ୍ତି । ତେଣୁ ଏହାର ବିରୋଧ କରିବା ସଂଗେ ସଂଗେ ଯଥାଶୀଘ୍ର ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ନିଜର ଦାବୀ ଶାନ୍ତିପୂର୍ଣ୍ଣ ଭାବେ ଉପସ୍ଥାପନ ପାଇଁ ହଜାର ହଜାର ସରକାରୀ କର୍ମଚାରୀ ଭୁବନେଶ୍ୱରଠାରେ ପେନସନ୍ ସମ୍ବିଧାନ ମହାରାଲି କରିବା ସଂଗେ ସଂଗେ ଏକତ୍ରିତ ହୋଇ ନିଜର ସାମ୍ବିଧାନିକ ପୁରୁଣା ପେନସନ୍ ବିଧି ବ୍ୟବସ୍ଥା ଉପରେ ସ୍ୱର ଉଠାଇବାକୁ ଯାଉଛନ୍ତି । ଯାହାଦ୍ୱାରା କର୍ମଚାରୀ ଓ ସେମାନଙ୍କ ପରିବାର ଭବିଷ୍ୟତ ଜୀବନକୁ ସୁରକ୍ଷିତ କରାଯାଇପାରିବ । ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଯୋଗଦାନ କରି ମହାରାଲିକୁ ସଫଳ କରିବା ପାଇଁ ଏନଆଇଏମଓପିଏସ ଆହ୍ୱାନ କରିଛନ୍ତି । ଉକ୍ତ ରାଲିରେ ଭଦ୍ରକ ଜିଲ୍ଲା ତରଫରୁ ବହୁ ସଂଖ୍ୟାରେ କର୍ମଚାରୀ ଯୋଗ ଦେବା ପାଇଁ ଏକ ପ୍ରେସ ବାର୍ତ୍ତାରେ ମୁଖପାତ୍ର ଶ୍ରୀ ବାଇଧର ପଲାଇ ଅନୁରୋଧ କରିଛନ୍ତି ।