Odiapua.com

ପୁରୁଣାବାଲେଶ୍ୱର ରାଧେଶ୍ୟାମ ୟୁଥକ୍ଲବ ବାର୍ଷିକ ଉତ୍ସବ

ବାଲେଶ୍ୱର, ୨୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ସରସ୍ୱତୀ ପୂଜାରୁ ଆରମ୍ଭ ହୋଇଥିବା ପୁରୁଣା ବାଲେଶ୍ୱରର ପୁରାତନ ସଂଗଠନ ରାଧେଶ୍ୟାମ ୟୁଥ କ୍ଲବର ୧୦୩ ତମ ବାର୍ଷିକ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଶିବନାୟକ ଛକ ନିକଟରେ ଆୟୋଜିତ ଉତ୍ସବରେ ଗୁରୁବାର ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ନେତା ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଲବର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶହେବର୍ଷର ପୁରୁଣା ଏହି ଅନୁଷ୍ଠାନ ତା’ର ପରମ୍ପରାକୁ ବଞ୍ଚାଇ ରଖିବା ବେଶ ପ୍ରଶଂସନୀୟ ଉଦ୍ୟମ ବୋଲି ସେ କହିଥିଲେ। ଆସନ୍ତା ହୋଲିରେ ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡିଆ ଚଳଚ୍ଚିତ୍ର ‘ତାଣ୍ଡବ’ର ଅଭିନେତା ଦେବାଶିଷ ପତି, ନିର୍ଦ୍ଦେଶକ ପୃଥୀରାଜ ପଟ୍ଟନାୟକ, ପ୍ରଯୋଜକ ସମ୍ବିତ ସାହୁ, ସହ ପ୍ରଯୋଜକ ଜିତେନ୍ଦ୍ର ଚାନ୍ଦ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ୧୦୩ ବର୍ଷ ଧରି ସଫଳତାର ସହ ମା’ ସରସ୍ୱତୀଙ୍କ ପୂଜା ଉତ୍ସବ ପରମ୍ପରା ଜାରି ରଖିଥିବାରୁ ଅତିଥିମାନେ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ। ଏକ ଭିନ୍ନ ଧରଣ କାହାଣୀ ଓ ପଟକଥାରେ ନିର୍ମିତ ଓଡିଆ ଚଳଚ୍ଚିତ୍ର ତାଣ୍ଡବ ଦେଖିବା ପାଇଁ ସେମାନେ ଉପସ୍ଥିତ ଦର୍ଶକଙ୍କୁ ନିବେଦନ କରିଥିଲେ। ପରେ ସ୍ଥନୀୟ କ୍ରିଷ୍ଣା ମେଲୋଡି ପକ୍ଷରୁ ଆକର୍ଷଣୀୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷ କରି କୁନି କଣ୍ଠଶିଳ୍ପୀଙ୍କ ଯାଦୁକରୀ ସଙ୍ଗୀତକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ମନୋଜ କୁମାର ନାୟକ, ଅଜୟ ନାୟକ, ଅଜୟ ବିଶ୍ୱାଳ, କାର୍ତିକ ମାଝୀ, ସୁବ୍ରତ ଆଚାର୍ଯ୍ୟ, ଦୀପକ ନାଥ, ମନୋରଞ୍ଜନ ପ୍ରଧାନ, କାର୍ତିକ ସ୍ୱାଇଁ, ଭାଗ୍ୟରଞ୍ଜନ ନାୟକ ପ୍ରମୁଖଙ୍କ ସମେତ କ୍ଲବର ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।