Odiapua.com

ପୁରୁଣାବଜାର ଥାନା ନାକତଳୁ ଚୋରି, ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଟଙ୍କା ଓ ଅଳଙ୍କାର

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛି ମାସ ପୂର୍ବେ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀଙ୍କ ମନ୍ଦିରରୁ ତାଲା ଭଙ୍ଗାଯାଇ ଅଳଙ୍କାର ସହ ହୁଣ୍ଡିବାକ୍ସର ଟଙ୍କା ଲୁଟ୍ ହୋଇଆସୁଥିବାବେଳେ ପୁଲିସ୍‌ର ଧରପଗଡ ଯୋଗୁଁ ଏହା କିଛିମାତ୍ରାରେ କମିଯାଇଥିବାର ଦେଖାଯାଇଥିଲା । ପୁଣି ଏହିଭଳି ଏକ ମନ୍ଦିର ଚୋରିର ଅଭିଯୋଗ ସାମ୍ନାକୁ ଆସିଛି । ଏଠାରେ ସୂଚନାଯୋଗ୍ୟ ପୁରୁଣାବଜାର ଥାନା ଅଂଚଳର ଥିବା ସ୍ୱପ୍ନେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ତାଲା ଭାଙ୍ଗି ଚୋରି କରିଛି । ଚୋରମାନେ ମନ୍ଦିରର ତାଲା ଭାଙ୍ଗି କିଛି ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରାଇ ନେଇଥିବାର ଅଭିଯୋଗ ହୋଇଛି । ସବୁଠାରୁ ବିସ୍ମୟର କଥା ହେଉଛି ଏହି ସ୍ୱପ୍ନେଶ୍ୱର ମନ୍ଦିର ପୁରୁଣାବଜାର ଥାନାକୁ ଲାଗି ରହିଥିବାବେଳେ ଚୋରମାନେ କିପରି ପୁଲିସ୍ ଆଖିରେ ଧୂଳିଦେଇ ଚୋରି କଲେ । ଥାନାକୁ ଲାଗି ମନ୍ଦିରରୁ ଯଦି ଚୋରି ହୋଇଯାଉଛି, ତାହେଲେ ଥାନାରୁ ମଧ୍ୟ ଚୋରି ହୋଇପାରେ ବୋଲି ଏବେ ସାଧାରଣରେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି ।