Odiapua.com

ପୁରୀ: ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୫/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଗତ ଦୁଇ ବର୍ଷ ଭଳି କୋଭିଡ ନିୟମାବଳୀ ଆଧାରରେ ପାଳିତ ହେବ ଚଳିତ ବର୍ଷର ସ୍ୱାଧୀନତା ଦିବସ। କେବଳ ପୋଲିସ ବାହିନୀ ପାରେଡ ପଡ଼ିଆରେ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି। ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ସ୍ୱାଧୀନତା ଦିବସ ପାଳନ ନିୟମ ଆଧାରରେ ଜିଲ୍ଲାରେ ମଧ୍ୟ ଏହି ଜାତୀୟ ଦିବସ ପାଳନ କରାଯିବ ବୋଲି ସ୍ଥିର ହେଲା। ତାଳବଣିଆ ସ୍ଥିତ ଜିଲ୍ଲା ସ୍ପୋର୍ଟସ କମ୍ଲେକ୍ସ ଠାରେ ଅଗଷ୍ଟ ୧୫ ତାରିଖରେ ଦିବସର ମୁଖ୍ୟ ଅତିଥି ପୂର୍ବାହ୍ନ ୯.୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ଦର୍ଶକ ଭାବେ ସ୍ୱଳ୍ପ ସଂଖ୍ୟକ କୋଭିଡ ଯୋଦ୍ଧାମାନଙ୍କୁ ଆମନ୍ତ୍ରଣ କରାଯିବ। ସାଧାରଣ ଦର୍ଶକଙ୍କୁ ପ୍ରବେଶ ବାରଣ ରହିବ। ଉତ୍ସବ ପଡିଆକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାନିଟାଇଜ କରାଯିବା ସହ ଉପସ୍ଥିତ ସମସ୍ତ ଦର୍ଶକ ମାସ୍କ ପରିଧାନ କରିବେ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଠ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ, ପୌର ପ୍ରଶାସନ ସହଯୋଗରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ସେହିପରି ସ୍ପୋର୍ଟସ କମ୍ଲେକ୍ସ ପରିସରରେ ବୃକ୍ଷ ରୋପଣ, ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ସ୍ଥିର କରାଗଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଜାତା ମିଶ୍ର, ପୋଲିସ ରିଜର୍ଭ ଇନିସପେକ୍ଟର ଶ୍ରୀ ଚନ୍ଦ୍ର ଶେଖର ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।