Odiapua.com

ପୁରୀ ସହରରେ କଳାବଜାରରେ ମଦ ବିକ୍ରି ବୃଦ୍ଧି

ପୁରୀ, ୫/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ଲକ୍‌ଡାଉନ ଓ ସଟ୍‌ଡାଉନ ଜାରି ହୋଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ କଳାବଜାରରେ ଚଢା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଲା ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ସେପରି କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ନିର୍ଦ୍ଧାରିତ ସମୟରେ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ହୋଇଯିବା ପରେ ସେହି ଅଂଚଳରେ ବ୍ୟାପକ ଭାବେ କଳାବଜାରରେ ମଦ ବିକ୍ରି ଚାଲିଥିବା ଶୁଣାଯାଏ। ଏପରିକି କେତେକ ବିଦେଶୀ ମଦ ଦୋକାନର କର୍ମଚାରୀ ମାନେ ଏଥିରେ ସଂପୃକ୍ତ ଥିବା କୁହାଯାଉଛି। ଲକ୍‌ଡାଉନ ଏବଂ ସଟ୍‌ଡାଉନ ସମୟରେ ଚଢା ଦରରେ ମଦ ବିକ୍ରି କରି ସହଜରେ ଅଧିକ ଅର୍ଥ ଉପାର୍ଜନ କରିବା କେତେକଙ୍କ ପାଇଁ ଏକ ଲାଭଜନକ ବ୍ୟବସାୟ ପାଲଟିଛି। ଜିଲା ପ୍ରଶାସନ ଆଗକୁ ଏଦିଗରେ ଦୃଷ୍ଟି ଦେଇ କଳାବଜାରରେ ମଦ ବିକ୍ରି କରୁଥିବା ଲୋକମାନଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦୃଢ ଦାବି ହେଉଛି।