Odiapua.com

ପୁରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ସେବା ନାମରେ ଲକ୍ଷାଧିକ ଟଙ୍କା ଚଳୁ , ଓଆଇସି ସଂସ୍ଥାର କାର୍ଯ୍ୟ ସନ୍ଦେହ ଘେରରେ, ବହୁ ଅନୁଷ୍ଠାନ ଓ ସାମ୍ବାଦିକ ସଂଘ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନାମରେ କେତେକ ସ୍ୱେଚ୍ଛାସେବୀ ସଂଗଠନ କୋଟି କୋଟି ଟଙ୍କା ଆଦାୟ କରି ମହାପ୍ରଭୁଙ୍କ ରଥଯାତ୍ରାରୁ ନୀଳାଦ୍ରି ବିଜେ ଓ ଅନ୍ୟାନ୍ୟ ପୂଜା ପାର୍ବଣରେ ୫ ରୁ ୧୦ ପ୍ରତିଶ୍ରତ ଆଦାୟ ଅର୍ଥ ଖର୍ଚ୍ଚ କରି ସିଂହଭାଗ ଅର୍ଥକୁ ନିଜର ସ୍ୱାର୍ଥରେ ଲଗାଇବା ଘଟଣା ଏବେ ଲୋକ ଲୋଚନକୁ ଆସିଛି। ବିଶେଷକରି ସଦ୍ୟ ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଓଡ଼ିଶା ଇଂଟରନେସନାଲ ସେଂଟର (ଓଆଇସି) ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ମହାପ୍ରଭୁଙ୍କ ଦେବ ଦୀପାବଳି ସମୟରେ ଲକ୍ଷେ ଦୀପ ପ୍ରଜ୍ଜ୍ୱଳନ ପାଇଁ ଘୋଷଣା କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ପରେ ମାତ୍ର ୧୦-୨୦ ହଜାର ଦୀପ ପ୍ରଜ୍ଜ୍ୱଳନ କରିବା ଏବଂ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ପୂଜା ନାମରେ ୨୦୦୩ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟ ଓ ରାଜ୍ୟ ବାହାରୁ ଦେଶ ବିଦେଶରୁ ଜଗନ୍ନାଥଙ୍କ ସେବା ନାମରେ ଟଙ୍କା ଆଦାୟ କରି ଚଳୁ କରିବା ଘଟଣା ବହୁ ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ ଭାବନାକୁ ଆଘାତ ଦେଇଛି। ଏହି ଘଟଣା ସଂପର୍କରେ ଜଣାପଡିବା ପରେ ରାଜ୍ୟର ବିଭିନ୍ନ ବୁଦ୍ଧିଜୀବୀ ସଂଗଠନ ସମେତ ପୁରୀସ୍ଥିତ ଜାତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଉକ୍ତ ସଂଗଠନ ବିରୁଦ୍ଧରେ ସ୍ଥାନୀୟ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇ ତୁରନ୍ତ ଉକ୍ତ ସଂଗଠନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଆଜି ଭଦ୍ରକ ଜିଲା ପେସାଦାର ପତ୍ରକାର ମହାସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ଅମ୍ଲାନ ପଣ୍ଡା, ସମ୍ବିତ ନାୟକ, ମାନସ ଜେନା, ସ୍ନେହାଶିଷ ନାୟକ, ଅତନୁ ପାତ୍ର, ସ୍ନିଗ୍ଧା ରାୟ, ସତ୍ୟଭୂଷଣ ସ୍ୱାମୀ, ଶଶିଭୂଷଣ ସ୍ୱାମୀ, ସଂଜୀବ ନାୟକ ପ୍ରମୁଖ ଉକ୍ତ ଘଟଣାକୁ ନିନ୍ଦା କରି ରାଜ୍ୟ ସରକାର ତୁରନ୍ତ ଏଭଳି ସଂଗଠନକୁ ବ୍ଲାକ୍ ଲିଷ୍ଟେଡ୍ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜଗନ୍ନାଥ ପ୍ରେମୀମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ପୁରୀ ଜିଲା ଜାତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଜିଲାପାଳଙ୍କୁ ଦେଇଥିବା ଚିଠିରେ ଯାହା ଉଲ୍ଲେଖ କରିଛି ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନାମରେ କୌଣସି ସେବା ସଂସ୍ଥା କାହାଠାରୁ ଦାନ ଆକାରରେ ଚାନ୍ଦା ଆଦାୟ କରି ସେବା କରିପାରିବେ ନାହିଁ। ତେଣୁ ଏଭଳି ହୀନ କାର୍ଯ୍ୟ କରୁଥିବା ଉକ୍ତ ସଂଗଠନର ଘଟଣାକୁ ଗମ୍ଭୀରତାର ସହିତ ଅନୁଧ୍ୟାନ କରି ଏହି ସଂସ୍ଥାର ଗୁମର ପଦାରେ ପକାଇବା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଅନୁରୋଧ କରିଛି। ଏହି ସଂଗଠନ ସମ୍ପର୍କରେ ମିଳିଥିବା ତଥ୍ୟ ଅନୁସାରେ ୨୦୦୩ ରେ ଓଡ଼ିଶା ଇଂଟରନେସନାଲ ସେଂଟର ନାମକ ସାମାଜିକ ସେବା ଅନୁଷ୍ଠାନକୁ ପରେଶ ନାଥ ନାୟକ ନାମକ ବ୍ୟକ୍ତି ଭୁବନେଶ୍ୱରରେ ପ୍ରତିଷ୍ଠା କରିଥିଲେ। ୨୦୨୧ ରେ ତାଙ୍କର ବିୟୋଗ ପରେ ଭାବଗ୍ରାହୀ ଶାନ୍ତି ଓ ଉଦୟ ଶାନ୍ତି ଦୁଇଜଣ ସଦସ୍ୟଙ୍କ ଓ ଅନ୍ୟ ଦୁଇଜଣ ସଦସ୍ୟ ମ୍ୟାନେଜିଂ ଟ୍ରଷ୍ଟି ଭାବେ ସମସ୍ତଙ୍କ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଗତ ରଥଯାତ୍ରା ସମୟରେ ଏହି ସଂସ୍ଥା ପୁରୀ ବଡଦାଣ୍ଡ ତଥା ଶରଧା ବାଲି ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଦେବ ଦୀପାବଳିରେ ଲକ୍ଷେ ଏକଟି ଦୀପ ଜାଳିବା, ରଥଯାତ୍ରା ସମୟରେ ମାଗଣାରେ ଖାଦ୍ୟ ବାଂଟିବା ଓ ନବରାତ୍ର ଭଳି ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ରହିବା, ଲୋକଲୋଚନକୁ ଆସିବା ପରେ ସଂଗଠନର ଆଭିମୁଖ୍ୟ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଦୀପାବଳି ସମୟରେ ବଡଦାଣ୍ଡରେ ଏହି ସଂସ୍ଥା ନାମକୁ ମାତ୍ର ଦୀପ ଜାଳି ଶ୍ରୀ ଜଗନ୍ନାଥଙ୍କ ସେବା ନାମରେ ବିପୁଳ ଚାନ୍ଦା ଆଦାୟ ଭଳି ଘଟଣା ଚର୍ଚ୍ଚାକୁ ଆସିବା ପରେ ସଂଗଠନର ବୈଧତା ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଏହି ସଂଗଠନର ନିଜସ୍ୱ କାର୍ଯ୍ୟାଳୟ ଭୁବନେଶ୍ୱରର କେଉଁଠାରେ ଅଛି, ସଂଗଠନର ପ୍ରକୃତ ସଦସ୍ୟ/ସଦସ୍ୟାଙ୍କ ସଂଖ୍ୟା କେତେ ଓ ସର୍ବସାଧାରଣଙ୍କ ଠାରୁ ଚାନ୍ଦା ଉଠାଣ ପାଇଁ ଏହି ସଂଗଠନ ପକ୍ଷରୁ ଦିଆଯାଇଥିବା କ୍ୟୁଆର କୋଡ୍ କିଏ ପରିଚାଳନା କରୁଛନ୍ତି, ସେଥିନେଇ ତଦନ୍ତର ଆବଶ୍ୟକତା ରହିଛି। ବିଶେଷକରି ଶ୍ରୀ ଜଗନ୍ନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାପ୍ରଭୁଙ୍କ ନାମରେ ଅନ୍ୟ କେହି ଚାନ୍ଦା ସଂଗ୍ରହ କରିପାରିବେ ନାହିଁ ବୋଲି ରଥଯାତ୍ରା ପ୍ରସ୍ତୁତି ବୈଠକରେ ସ୍ପଷ୍ଟ ଭାବେ ନିଷ୍ପତି ହୋଇଥିବାବେଳେ ଉକ୍ତ ସଂଗଠନ କିଭଳି ଚାନ୍ଦା ଉଠାଇଲା, ତାହାକୁ ରାଜ୍ୟ ସରକାର ଦୁର୍ନୀତିମୁକ୍ତ ଅଭିଯାନ ଯୋଜନାରେ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ଘଟଣାକୁ ପଦାରେ ପକାଇବା ଦାବି ଜୋର ଧରିଛି।