Odiapua.com

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୋଲିସର ମାଡ଼ ଅଭିଯୋଗ

ପୁରୀ ୭-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ପୁଣି ଖାକିରେ ଲାଗିଲା ଦାଗ। ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସର ଭକ୍ତଙ୍କୁ ଆକ୍ରମଣ। ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ଼ ଅଭିଯୋଗ। ପୋଲିସ ମାଡ଼ରେ ଜଣେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର ହବିଷ୍ୟାଳୀ ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ। ସେ ପୁରୀରେ ରହି ହବିଷ ବ୍ରତ କରୁଛନ୍ତି। ତେବେ ସରକାର ହବିଷ୍ୟାଳିଙ୍କ ପାଇଁ ସ୍ଵତନ୍ତ୍ର ଶିବିର କରି ସମସ୍ତ ସୁବିଧା ସୁଯୋଗ ଦେଉଛନ୍ତି କାର୍ତ୍ତିକ ବ୍ରତ ପାଇଁ। କିନ୍ତୁ ଦୁଃଖ ର ବିଷୟ ପୋଲିସ୍ ହବିଷ୍ୟାଳିଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଆକ୍ରମଣ କରୁଛି, ଦୁର୍ବ୍ୟବହାର କରୁଛି। ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ଦୋଷୀ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ପୁରୀ ଏସପି କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି। ସେପଟେ ପୁରୀ ପୋଲିସ୍ ର ଦୋମୁହାଁ ନୀତିକୁ ଭକ୍ତ କଡ଼ା ସମାଲୋଚନା କରିଛନ୍ତି। ଗୋଟେ ପଟେ ଶ୍ରୀମନ୍ଦିରରେ ମାଳ ମାଳ ପୋଲିସ୍ କର୍ମଚାରୀ ଥିବା ବେଳେ ଦଲାଲଙ୍କୁ ଅଟକାଇ ପାରୁ ନାହାଁନ୍ତି। ଫଳରେ କାର୍ତ୍ତିକ ମାସରେ ଭକ୍ତମାନେ ଚଢ଼ା ଦାମ ମହା ପ୍ରସାଦ କିଣିବାକୁ ବାଧ୍ୟ ହେଉଛନ୍ତି। ସେପଟେ ଭକ୍ତ ମାନଙ୍କୁ ସୁରକ୍ଷା, ଶୋଷଣ ରୁ ରକ୍ଷା ପରିବର୍ତ୍ତେ ପୋଲିସ୍ ଭକ୍ତ ମାନଙ୍କୁ ଆକ୍ରମଣ କରିବା ପୁରୀ ପୋଲିସ୍ ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।