Odiapua.com

ପୁରୀ ମୁଖ୍ୟ କେନାଲ ହରିଦାସପୁର ସେତୁ ପାଲଟିଛି ମରଣଜନ୍ତା : ପ୍ରତିକାର ପାଇଁ ଅଞ୍ଚଳବାସୀଙ୍କ ଦାବି

ଭୁବନେଶ୍ୱର, ୧୩ା୬ (ଓଡ଼ିଆ ପୁଅ) : ଭୁବନେଶ୍ୱର କେନ୍ଦ୍ରୀୟ ଜଳସେଚନ ସର୍କଲର ପ୍ରାଚୀ ବିଭାଜନର ବାଲିଅନ୍ତା ଉପଖଣ୍ଡ ଅଧିନସ୍ଥ ପୁରୀ ମୁଖ୍ୟ କେନାଲରେ ନିର୍ମିତ ସୁନ୍ଦରାପାଟଣା ରୁ ରୁଦ୍ରପୁରକୁ ସଂଯୋଗ କରୁଥିବା କେନାଲ ସେତୁର ଦୁଇପାର୍ଶ୍ୱ ବାଡ ବିଗତ ଫନି ବାତ୍ୟାରେ ଭାଙ୍ଗିଯାଇଥିବା ବେଳେ ଏହା ନିର୍ମାଣ ନ ହେବା ଯୋଗୁଁ ଜୟପୁର, ପାହାଳ ଓ ରୁଦ୍ରପୁର ଅଞ୍ଚଳର କୋମଳମତି ଶିଶୁ, କଲେଜକୁ ଯାଉଥିବା ପିଲାମାନେ ଓ ଜନସାଧାରଣ ବିପଦଜନକ ଭାବରେ ଯାତାୟତ କରୁଛନ୍ତି। ବର୍ତ୍ତମାନ କେନାଲରେ ପାଣି ଶୁଖି ଯାଇଥିବାରୁ ଯଦି ଅଘଟଣ ଘଟି କୌଣସି ଲୋକ ବ୍ରିଜ୍ ତଳକୁ ଖସିପଡ଼େ ତେବେ ଜୀବନହାନୀ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଏହି ସେତୁ ଉପର ଦେଇ ଦୈନିକ ହଜାର ହଜାର ଜନସାଧାରଣ ଓ ଗୃହପାଳିତ ପଶୁ ଯାତାୟତ କରୁଥିବା ବେଳେ ଏହି ସେତୁ ଉପରଦେଇ ପିଲାମାନେ ନହରକଣ୍ଟାର ସରସ୍ୱତୀ ଶିକ୍ଷାମନ୍ଦିର, ମହାରଥା ବିଦ୍ୟାପୀଠ ଓ ଜୟଦେବ କଲେଜକୁ ଅଧ୍ୟୟନ ପାଇଁ ଅତ୍ୟନ୍ତ ବିପଦଜନକ ଭାବରେ ଯାଉଛନ୍ତି, ଏହାର ପୁନଃନିର୍ମାଣ ପ୍ରତି ଜଳସେଚନ ବିଭାଗ ଦୃଷ୍ଟି ନ ଦେବା ଉଦ୍ ବେଗଜନକ। ଆଗାମୀ ଦିନରେ କୌଣସି ଧନଜୀବନ ହାନୀ ହେଲେ ସେଥିପ୍ରତି ଜଳସମ୍ପଦ ବିଭାଗ ଅଧିକାରୀମାନେ ହିଁ ଉତ୍ତରଦାୟୀ ରହିବେ। ଛାତ୍ରଛାତ୍ରୀ, ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ନିରାପତ୍ତା ଦୃଷ୍ଟିରୁ ଏହି ସେତୁର ଉଭୟ ପାଶ୍ୱର୍ର ବାଡ଼ ତୁରନ୍ତ ନିର୍ମାଣ ପାଇଁ ଅଞ୍ଚଳବାସୀ ଜଳସମ୍ପଦ ବିଭାଗ ଅଧିକାରୀ ଓ ସ୍ଥାନୀୟ ନବନିର୍ବାଚିତ ମାନ୍ୟବର ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିଛନ୍ତି।