Odiapua.com

ପୁରୀ ମହୋଦଧି ଠାରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କ ର ପବିତ୍ର ଅସ୍ଥି ଓ ଚିତାଭସ୍ମ ବିସର୍ଜନ

ପୁରୀ – ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସତସଙ୍ଗ ଠାକୁରବାଡ଼ି ଆନୁକୁଲ୍ୟରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା (ଅଶୋକ କୁମାର ଚକ୍ରବର୍ତ୍ତୀ) ଙ୍କର ଅସ୍ଥି ଓ ଚିତାଭସ୍ମ ବିସର୍ଜନ ଆଜି ସକାଳ ୮ ଘଟିକା ରେ ଶ୍ରାଦ୍ଧକର୍ମ ସମାପନ ପରେ ଦେଓଘର ସତସଙ୍ଗ ର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ଅଣନାତି ପୂଜ୍ୟପାଦ ବିଙ୍କି ଦା ପୁରୀ ମହୋଦଧିରେ ବିସର୍ଜନ କରିଥିଲେ।

ପ୍ରକାଶ ଯେ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଗତ ଡିସେମ୍ବର ମାସ ୧୬ ତାରିଖ ରେ ଦୁର୍ଗାପୁର ସ୍ଥିତ ମିଶନ ହସ୍ପିଟାଲରେ ଇହଲୀଳା ସମ୍ବରଣ କରିଥିଲେ। ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷ ର ବିଭିନ୍ନ ପବିତ୍ର ନଦୀ ଓ ସମୁଦ୍ର ରେ ବିସର୍ଜନ କରି ଆଜି ପୁରୀଠାରେ ମଧ୍ୟ ମହୋଦଧି ରେ ସମାପନ କରାଯାଇଥିଲା। ପୁରୀ ମହୋଦଧି କୂଳ ରେ ପୂଜ୍ୟପାଦ ବୀଙ୍କି ଦା ଙ୍କ ସହ ସତସଙ୍ଗ ର ବହୁ ବିଶିଷ୍ଟ ଭକ୍ତ ଅନୁରାଗୀ ମାନଙ୍କ ମଧ୍ୟ ରୁ ସତସଙ୍ଗ ର ସହ ସମ୍ପାଦକ ଡଃ. ବିନାୟକ ମହାପାତ୍ର (ପ୍ର. ରି) ଙ୍କ ପରିଚାଳନା ରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଏତଦ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରଚନ୍ଦନ ଟୁଇଟ କରି ବାର୍ତ୍ତା ଦେଇଥିଲେ।

ଏହି କାର୍ଯ୍ୟକ୍ରମ ସମଗ୍ର ଭାରତ ତଥା ଶ୍ରୀ ଶ୍ରୀ ଠାକୁର ଙ୍କ ଜନ୍ମସ୍ଥାନ ବାଂଲାଦେଶ ପାବନା ର ପଦ୍ମାନଦୀ ଠାରେ ବିସର୍ଜନ ର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରେ ଚିତାଭସ୍ମ ଦେଓଘର ରୁ ବାହାରି ଲକ୍ଷ୍ନୌ, ଡେରାଡୁନ ଦେଇ ହରିଦ୍ଵାର ର ବ୍ରହ୍ମପୁତ୍ର, ଗୋମତୀ ନଦୀ, ତ୍ରିବେଣୀ ସଙ୍ଗମ, କାବେରୀ ନଦୀ, କନ୍ୟାକୁମାରୀ, ନର୍ମଦା ନଦୀ, ଗୋଦାବରୀ ନଦୀ, ଆର୍ବିୟାନ ସମୁଦ୍ର ରେ ଓ ଆଜି ପୁରୀ ମହୋଦଧି ଠାରେ ଚିତାଭସ୍ମ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହା ପରେ ୧୨/୬/୨୨ ରୁ ୨୧/୬/୨୨ ଭିତରେ ସିନ୍ଧୁ ନଦୀ, ବ୍ରହ୍ମପୁତ୍ର ନଦୀ (ଗୌହାଟୀ), ପଦ୍ମା ନଦୀ ଓ ସର୍ବଶେଷ ରେ ପବିତ୍ର ଗଙ୍ଗା ସତସଙ୍ଗ ଘାଟ (ପାନିହାଟି) ଠାରେ ବିସର୍ଜନ କାର୍ଯ୍ୟକ୍ରମ ଅଛି।

ଏହି କାର୍ଯ୍ୟକ୍ରମ ରେ ଓଡିଶା ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ନିରଂଜନ ପଟ୍ଟନାୟକ ତଥା ପୁରୀ ଜିଲ୍ଲାପାଳ ସାର୍ଥକ ବର୍ମା, ଅତିରିକ୍ତ ଜିଲ୍ଲପାଳ ପୁରୀ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ୨୦ ହଜାର ରୁ ଉର୍ଦ୍ଧ୍ବ ସତସଙ୍ଗୀ ଭାଇ ଓ ମା ମାନେ ଯୋଗ ଦେଇଥିଲେ। ସମସ୍ତ ଭକ୍ତ ଦୁଇ ଦିନ ଧରି ଆନନ୍ଦ ବଜାର ପ୍ରସାଦ ସେବନ କରିଥିଲେ। ଏଥିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିପୁଳ ସହଯୋଗ ମିଳିଥିଲା।