Odiapua.com

ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ପୁରୀ ୪/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୁର୍ନୀତି ରୂପକ ସାମାଜିକ ବ୍ୟାଧିକୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଆହ୍ୱାନ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ଜିଲ୍ଲା ପ୍ରଶାସନ, ଦୁର୍ନୀତି ନିବାରଣ ଶାଖା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ନୀତି ବିରୋଧୀ ଯେ କୌଣସି କାର୍ଯ୍ୟ ଦୁର୍ନୀତି ପଦବାଚ୍ୟ ବୋଲି କହିଥିଲେ। ଦୁର୍ନୀତି ନିବାରଣ କ୍ଷେତ୍ରରେ ସରକାରଙ୍କ ର ଶୂନ୍ୟ ସହନଶୀଳତା ବ୍ୟବସ୍ଥା ପାଇଁ ଅନେକ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ସରକାର ବା ପ୍ରଶାସନ ନୁହେଁ ସାଧାରଣ ଜନତା ମଧ୍ୟ ଦୁର୍ନୀତି ନିବାରଣ ପାଇଁ ସଚେତନ ହୋଇ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର ପ୍ରସାଦ ପଣ୍ଡା ପ୍ରତ୍ୟେକ ନିଜ ବିବେକାନୁମୋଦିତ କାର୍ଯ୍ୟ, ଉନ୍ନତ ଚରିତ୍ର ଗଠନ, ଆତ୍ମ ସଂଯମତା ଓ ଶୃଙ୍ଖଳା ରଖିଲେ ଦୁର୍ନୀତି ନିବାରଣ ସହଜ ହୋଇ ପାରିବ ବୋଲି କହିଥିଲେ। ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଦୁର୍ନୀତି ବିକାଶ ର ମୁଖ୍ୟ ପ୍ରତବନ୍ଧକ ବୋଲି କହିବା ସହ ସରକାର ଦୁର୍ନୀତି କୁ ପ୍ରତିହତ କରିବା ପାଇଁ ଗ୍ରହଣ କରିଥିବା ବିବିଧ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁରୀ ସଦର ବିଡ଼ିଓ ଶ୍ରୀ ସମ୍ବିତ କୁମାର ଶତପଥୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲ ଯୋଗ ଦେଇ ଦୁର୍ନୀତି ର କାରଣ, ନିରାକରଣ ଓ ନାଗରିକ ଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପୁରୀ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିଶିର କୁମାର ଭୋଇ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ସମଗ୍ର ଦେଶରେ ଓଡିଶା ର ଦୁର୍ନୀତି ନିବାରଣ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଉଛି ଓ ବୈଷୟିକ ଜ୍ଞାନ ଉପଯୋଗରେ ଅଧିକ କ୍ରିୟାଶୀଳ କରାଯାଇଛି ବୋଲି କହିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ। ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।