Odiapua.com

ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡ଼ିନେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଶ୍ରମ କମିଶନରଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର, ୨୦-୮ (ଓଡ଼ିଆ ପୁଅ) : ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡ଼ିନେଟରଙ୍କ ଏକଚାଟିଆ ମନୋମୁଖୀ କାର୍ଯ୍ୟକଳାପ ଓ ଦୁର୍ନୀତିରେ ଲିପ୍ତ ରହି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଆଭିମୁଖ୍ୟକୁ ଦୀର୍ଘଦିନ ହେଲା ନଷ୍ଟ କରିବା ପ୍ରତିବାଦରେ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ ସମିତି, ପୁରୀ ଜିଲ୍ଲା କମିଟି ତରଫରୁ ଶ୍ରମ କମିଶନରଙ୍କ ଅନୁପସ୍ଥିତିରେ ଉପ ଶ୍ରମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ପ୍ରକାଶ ଥାଉ କି ୱେଲଫେୟାର କୋର୍ଡ଼ିନେଟର ଅବସ୍ଥାପିତ ହେବା ଦିନଠାରୁ କ୍ରମାଗତ ଭାବରେ ବହୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି। ନୂତନ ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଶହ ଶହ ଟଙ୍କା ଦାବି କରୁଥିବା ସହ କାର୍ଡ ନବୀକରଣ ପାଇଁ ମଧ୍ୟ ଟଙ୍କା ଦାବି କରୁଛନ୍ତି। ନିର୍ମାଣ ଶ୍ରମିକଙ୍କୁ ଦିଆଯାଉଥିବା ଶିକ୍ଷାବୃତ୍ତି, ବିବାହ, ମୃତ୍ୟୁକାଳୀନ ଆଦି ସହାୟତା ପ୍ରଦାନ କ୍ଷେତ୍ରରେ ଅଧିକ ଟଙ୍କା ଆଦାୟ କରାଯାଉଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା ପ୍ରଦାନ କରାଯାଉଥିବା ସ୍ଥଳେ ଯେଉଁ ୟୁନିୟନ୍‌ମାନେ ଟଙ୍କା ଦେବାକୁ ବିରୋଧ କରୁଛନ୍ତି, ସେମାନଙ୍କ ସହାୟତା ଦରଖାସ୍ତ ଫର୍ମଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ନଷ୍ଟ କରିଦିଆଯାଉଛି। କିଛି ଅସାମାଜିକ ବ୍ୟକ୍ତି ଓ ଦଲାଲମାନଙ୍କ ଦ୍ୱାରା ପ୍ରଚୁର ପରିମାଣର ଅର୍ଥ ଆଦାୟ କରାଯାଇ କଲ୍ୟାଣ ବୋର୍ଡ଼ର ସମସ୍ତ କାର୍ଯ୍ୟ କରାଯାଉଅଛି। ଶ୍ରମ କାର୍ଯ୍ୟାଳୟରେ ରାତ୍ରିଯାପନ କରିବା ସହ ରାତ୍ରିରେ ସେଠାକୁ ଅସାମାଜିକ ବ୍ୟକ୍ତିମାନଙ୍କୁ ଡକାଇ ବିଭିନ୍ନ ଅପ୍ରୀତିକର କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଯେଉଁ ଶ୍ରମିକ ୟୁନିୟନ୍‌ମାନେ ଏହାର ପ୍ରତିବାଦ କରୁଛନ୍ତି, ଉପରୋକ୍ତ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଧମକ ଦିଆଯାଉଛି। ଅଫିସ୍ ଖର୍ଚ୍ଚ ଅର୍ଥାତ୍ କମ୍ପ୍ୟୁଟର୍ କ୍ୟାଟ୍ରିଜ୍‌, କାଗଜ ଓ ମରାମତି ଦେୟ ଆଳରେ ୟୁନିୟନ୍‌ମାନଙ୍କଠାରୁ ପ୍ରଚୁର ପରିମାଣର ଅର୍ଥ ଆଦାୟ କରୁଛନ୍ତି। ତେଣୁ ତୁରନ୍ତ ଏହାର ପ୍ରତିକାର କରିବା ସହିତ ସମ୍ପୃକ୍ତ ୱେଲଫେୟାର କୋର୍ଡ଼ିନେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ସାତଦିନ ମଧ୍ୟରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ସମନ୍ୱୟ କମିଟି ତରଫରୁ ଶ୍ରମ କମିଶନର କାର୍ଯ୍ୟାଳୟ ସମେତ ପୁରୀ ଜିଲ୍ଲା ଉପ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ହାସଲ ପର୍ଯ୍ୟନ୍ତ ଦିବାରାତ୍ର ଧାରଣା ଚାଲୁ ରହିବ।

ଏହି ପ୍ରତିନିଧି ମଣ୍ଡଳୀରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ୟୁନିୟନ୍‌ର କର୍ମକର୍ତ୍ତାଙ୍କ ସମେତ ଏଚ୍‌.ଏମ୍‌.ଏସ୍‌.ର ରାଜ୍ୟ ନେତା ବିରେନ୍ଦ୍ର ପ୍ରତାପ ଦାସ, ସମନ୍ୱୟ ସମିତିର ରାଜ୍ୟ ଆବାହକ ବିଜୟ ଜେନା, ବିଭିନ୍ନ ୟୁନିୟନ୍‌ରୁ ସୁର ଜେନା, ଜିଲ୍ଲା ଆବାହକ ଜ୍ଞାନରଞ୍ଜନ ଦାସ, ମଧୁସୂଦନ ପ୍ରଧାନ, ସତ୍ୟମନ୍ୟୁ ପ୍ରଧାନ, ମହେଶ୍ୱର ମହାରଣା, ଡାଃ କମଳ ନାରାୟଣ ରଥ, ବିପିନ୍ ରାଉତ, ଅକ୍ଷୟ କାଣ୍ଡି, ସୁଦର୍ଶନ ପ୍ରଧାନ, ପ୍ରଶାନ୍ତ କୁମାର ବେହେରା, ଭୀମସେନ ସ୍ୱାଇଁ, ବିପିନ୍ ନାୟକ, ସୁଧାଂଶୁ ସେନାପତି, ସ୍ମୃତିରଞ୍ଜନ ଦାସ, ମହାବୀର ମିଶ୍ର, ବିପ୍ଳବ କେଶରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।