Odiapua.com

ପୁରୀ ଜିଲ୍ଲାରେ ମେଗା ଆଇନ ସେବା ଶିବିର ଚଳିତ ମାସ ୬ ତାରିଖରେ

ପୁରୀ ୪/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚଳିତ ମାସ ୬ ତାରିଖରେ ପୁରୀ ଜିଲ୍ଲାରେ ଏକ ମେଗା ଆଇନ ସେବା ଓ ସଚେତନତା ଶିବିର ପୁରୀ ସ୍ପୋର୍ଟ୍ସ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏହି ଶିବିର ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ଦେବାଶିଷ ଦାଶ ଯୋଗ ଦେଇଥିଲେ। ଆଇନର ଶାସନରେ ସମସ୍ତେ ନ୍ୟାୟ ପାଇବା ଜରୁରୀ ଅଟେ। ନ୍ୟାୟ ପାଇବା କେବଳ କୋର୍ଟ ଭିତ୍ତିକ ଆଇନ ସେବାରେ ସୀମିତ ନୁହେଁ। ଲୋକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରାଧିକରଣର ସମ୍ପାଦକ ଶ୍ରୀ ଦାଶ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ।ତା ୬.୧୧.୨୦୨୨ ରିଖ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୁରୀ ଙ୍କ ପକ୍ଷରୁ ଏହି ମେଗା ଶିବିରର ଆୟୋଜନ କରାଯାଉଛି। ଏଥିରେ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସଚେତନ କରାଇବା ସହ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ପରାମର୍ଶ ଦିଆ ଯାଇଛି। ଏଥିରେ ହିତାଧିକାରୀମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ସହ ସଚେତନତାର ବାର୍ତ୍ତା ଦିଆଯିବ। ଶିବିରର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗକୁ ଦିଆଯାଉଥିବା ଦାୟିତ୍ୱକୁ ସଠିକ ନିର୍ବାହ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।