Odiapua.com

ପୁରୀ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ

ପୁରୀ ୧୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବନ୍ୟା ଆଶଙ୍କା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ନଦୀବନ୍ଧ ଉପରେ ଦୃଷ୍ଟି ରଖିବା ପାଇଁ ତହସିଲଦାରମାନଙ୍କୁ ସତର୍କ କରାଯାଇଛି। ଏବେ ପୁରୀ ଜିଲ୍ଲାରେ ବନ୍ୟାଜଳ ଅଧିକ ପ୍ରବାହ ନେଇ ସୂଚନା ନଥିଲେ ହେଁ ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବାକୁ କୁହାଯାଇଛି। ବଡ଼ଧରଣର ବନ୍ୟା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଥିଲେ ହେଁ ହୀରାକୁଦ ବନ୍ୟାଜଳ ଦୟା ଓ ଭାର୍ଗବୀ ନଦୀରେ ପ୍ରବେଶ କଲେ ବନ୍ଧ ଛୁଇଁବା ଆଶଙ୍କା ରହିଛି। ତେଣୁ ନିକଟବର୍ତ୍ତୀ ଜନବସତିର ବାସିନ୍ଦାମାନେ ଆତଙ୍କରେ ଅଛନ୍ତି।

ହୀରାକୁଦର ୩୪ଟି ଗେଟ୍ ଖୋଲି ସାରିଥିବାରୁ ବନ୍ୟାଜଳ ପୁରୀ ଜିଲ୍ଲାକୁ ମାଡ଼ିବାର ସମ୍ଭାବନା ରହିଛି। ତେଣୁ ନଦୀବନ୍ଧ ଦୁର୍ବଳ ହେବା ପୂର୍ବରୁ ଏ ସଂକ୍ରାନ୍ତରେ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ସତର୍କ ରହିବାକୁ କୁହାଯାଇଛି। ଏନେଇ ୨ ଓଡ୍ରାଫ୍ ଟିମ୍, ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍, ଅଗ୍ନିଶମ ବାହିନୀର ୪ଟି ଟିମ୍ କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଅଧିକାରୀମାନଙ୍କୁ ଆଗରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଭାଗର ଅଧିକାରୀମାନଙ୍କୁ ବନ୍ୟା ବେଳେ ଓ ବନ୍ୟା ପରେ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ସ୍ଥିର କରିବାକୁ କୁହାଯାଇଛି। ସେପଟେ ପିପିଲି, ଡେଲାଙ୍ଗ ଅଞ୍ଚଳରେ ଭାର୍ଗବୀ ଓ ଦୟା ନଦୀ ପ୍ରବାହିତ ହେଉଥିବାରୁ ଉକ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ। କୌଣସି ଆପାତ୍ କାଳୀନ ପରିସ୍ଥିତି ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସଜାଗ ରହିବାକୁ ବିଧାୟକ ନିର୍ଦେଶ ଦେଇଛନ୍ତି।