Odiapua.com

ପୁରୀ ଓ ଅଲାରପୁରର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାର ଦାୟିତ୍ୱ ନେବା -ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଅଲାରପୁରର ୧୨ତମ କୁମାର ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ

– ଅଲାରପୁର ଯୁବକଙ୍କ ଦ୍ୱାରା ଗାଁର ଚିତ୍ରକୁ ନେଇ ପ୍ରସ୍ତୁତ ସଙ୍ଗୀତ ଭିଡ଼ିଓକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଂଶସା

ଅଲାରପୁର/ପୁରୀ, ଅକ୍ଟୋବର ୦୬ (ଓଡ଼ିଆ ପୁଅ) – ପୁରୀ ଜିଲ୍ଲା ଅଲାରପୁର ଠାରେ ହରଦୂର୍ଗା ୟୁଥ୍ କ୍ଲବ ତରଫରୁ ଆୟୋଜିତ ୧୨ତମ ‘କୁମାର ମହୋତ୍ସବ’ରେ ଯୋଗଦେଇ ପୁରୀ ଓ ଅଲାରପୁରର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାର ଦାୟିତ୍ୱ ନେବା ପାଇ ଯୁବଶକ୍ତି ଆଗକୁ ଆସିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୁମାର ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ହରଦୂର୍ଗା ୟୁଥ୍ କ୍ଲବର ସଦସ୍ୟ ଓ ଅଲାରପୁର ଗାଁର ଯୁବକ ମାନଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗୀତ ଭିଡ଼ିଓ ପ୍ରଶଂସନୀୟ। ଗାଁର କଳା, କାରିଗରୀ, ସାମାଜିକ ଜୀବନୀ ଓ ଚାଲିଚଳଣୀର ଚିତ୍ରକୁ ନେଇ ପ୍ରସ୍ତୁତ ଭିଡ଼ିଓଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନକୁ ଛୁଇଁବା ଭଳି।

ସେ ଆହୁରି କହିଛନ୍ତି ଯେ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ଟେକ୍ନୋଲୋଜି ବିକଶିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ରଖିଛନ୍ତି। ଏହା ଦ୍ୱାରା ପୁରୀ ଓ ଅଲାରପୁର ଭଳି ଗାଁର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବ। ଏଥିପାଇଁ ଯୁବପିଢି ଦାୟିତ୍ୱ ନେବା ଦରକାର। ଏହାବ୍ୟତିତ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତର କଳ୍ପନା ରଖିଛନ୍ତି। ଏ ଦିଗରେ ଅଲାରପୁରର ଯୁବଶକ୍ତିଙ୍କ ଭାବନା ବିକଶିତ ଭାରତକୁ ସାକାର କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କଳା, ସାହିତ୍ୟ, ସମାଜସେବା ସମେତ କ୍ଷେତ୍ରରେ ବିଶେଷ ଅବଦାନ ରଖୁଥିବା ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ ଯୁବଶକ୍ତି ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ବ୍ୟକ୍ତିବିଶେଷଙ୍କ ଅବଦାନ ଆଗାମୀ ପିଢିକୁ ପ୍ରେରିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।