Odiapua.com

ପୁରୀ ଉତ୍କଳ ବାଳାଶ୍ରମ ରାଜ୍ୟସ୍ତରୀୟ ବାଳାଶ୍ରମର ମାନ୍ୟତା ଲାଭ କଲା

ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଉତ୍କଳ ବାଳାଶ୍ରମ ରାଜ୍ୟସ୍ତରୀୟ ବାଳାଶ୍ରମର ମାନ୍ୟତା ପାଇଥିବା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି। ଅନ୍ତେବାସୀଙ୍କ ପାଇଁ ରହିବ ଏଠାରେ ସବୁପ୍ରକାର ସୁବିଧା ସୁଯୋଗ। ଗତକାଲି ପୁରୀରୁ ଶିଶୁ ସମ୍ପର୍କ ଯାତ୍ରା ଆରମ୍ଭ ଅବସରରେ ଏହି ଘୋଷଣା କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ। କୋଭିଡ଼ ମହାମାରୀ ପିଲାଙ୍କୁ ବହୁଳ ଭାବରେ ପ୍ରଭାବିତ କରିଛି। ବିଦ୍ୟାଳୟଗୁଡ଼ିକ ବନ୍ଦ ହେବା ଫଳରେ ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ସହ ଦୀର୍ଘ ଦିନ ଘରେ ଆବଦ୍ଧ ହୋଇ ରହିଥିବାରୁ ସେମାନଙ୍କ ମାନସିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ପିଲାଙ୍କ ସ୍ଥିତିର ଅନୁଧ୍ୟାନ ସହ ସେମାନଙ୍କ ଅଭିଯୋଗ ଶୁଣାଣି ପାଇଁ ପୁରୀରୁ ଶିଶୁ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ଏକ୍ସନଏଡ଼ ଓ ଚାଇଲ୍ଡ ଫଣ୍ଡ ଇଣ୍ଡିଆର ସହୋଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ଲକରେ ଆୟୋଜିତ ହେବ। ପିଲାଙ୍କ ଅଭିଯୋଗ ଶୁଣି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦିଆଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ବିଭାଗ ଉପଦେଷ୍ଟା ସୁଲତା ଦେଓ, ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସିତ ଅମିତାବ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସୁଶ୍ରୀ ଦିବ୍ୟା ଶାଶ୍ୱତୀ, ଚାଇଲ୍ଡ ଫଣ୍ଡ ଇଣ୍ଡିଆର ହିମାଶୁଂ ସିଂଙ୍କ ସହ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ।