Odiapua.com

ପୁରୀରେ ହେବନି ଦ୍ବିତୀୟ ବ୍ଲୁ ଫ୍ଲାଗ ବିଚ୍

ପୁରୀ ୨୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ହେବନି ଦ୍ବିତୀୟ ବ୍ଲୁ ଫ୍ଲାଗ ବିଚ୍। ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟ କରଣ ସହ କରାଯିବ ବିକାଶମୂଳକ କାର୍ଯ୍ୟ। ବେଳାଭୂମି ସଂଘର ସଦସ୍ୟଙ୍କ ସହ ପ୍ରଶାସନର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। କ୍ଷୁଦ୍ର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ ବେଳାଭୂମିରେ ଶୌଚାଳୟ ସହ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା କରାଯିବାକୁ ଥିବାବେଳେ ଆଜି ଜିଲ୍ଲାପାଳ ଏହି କାର୍ଯ୍ୟର ଅନୁକୂଳ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡ଼ିଛନ୍ତି।

ପୁରୀ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଆଉ ନୂତନ ବ୍ଲୁ ଫ୍ଲାଗ ବିଚ୍ ହେବ ନାହିଁ। ଜିଲ୍ଲାପାଳ ସମର୍ଥ ବର୍ମା ଏହା ସ୍ପଷ୍ଟ କରିବା ସହ ଲିଖିତ ଭାବେ ଜଣାଇଛନ୍ତି। ଚକ୍ରତୀର୍ଥ ରୋଡରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚକୁ ପୂର୍ବରୁ ତୀବ୍ର ବିରୋଧ କରାଯାଇଥିଲା। ପୁରୀ ବେଳାଭୂମି ସୁରକ୍ଷା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ୨୬ ଦିନ ଧରି ଅହୋରାତ୍ର ଧାରଣା ମଧ୍ୟ ଦିଆଯାଇଥିଲା। ଫଳରେ ଦେଢ଼ ବର୍ଷ ଧରି କାର୍ଯ୍ୟ ବନ୍ଦ ରହିଥିଲା। ଶେଷରେ ଏହି ଆନ୍ଦୋଳନର ବିଜୟ ଘଟିଛି। ଚକ୍ରତୀର୍ଥ ବେଳାଭୂମିରେ ନୂତନ ବ୍ଲୁ ଫ୍ଲାଗ ବିଚ୍ ହେବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଆଜି ଚକ୍ରତୀର୍ଥ ବେଳାଭୂମିରେ ଶତାଧିକ କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ବ୍ୟବସାୟୀଙ୍କ ଉପସ୍ଥିତିରେ ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ବାଲିରେ ବସିବା ସହ ବ୍ଲୁ ଫ୍ଲାଗ ବିଚ୍ ହେବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏହାକୁ ସଭିଏଁ ସ୍ବାଗତ କରିଛନ୍ତି।

ତେବେ ୬ କୋଟି ଟଙ୍କା ବ୍ୟୟରେ ଚକ୍ରତୀର୍ଥ ବେଳାଭୂମିର ବିକାଶ ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହେବ। କୌଣସି ଉଠା ଦୋକାନୀଙ୍କୁ ଏଠାରୁ ବିସ୍ଥାପିତ କରାଯିବ ନାହିଁ। ସେଭଳି ଏହି ବେଳାଭୂମିରେ ପରିଚାଳନା ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ Beach Development Committee ଦ୍ବାରା କରାଯିବ। ବେଳାଭୂମିର ପରିଚାଳନା ପାଇଁ କୌଣସି ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯିବ ନାହିଁ। ଏହି ବେଳାଭୂମିରୁ ଆଦାୟ ହେବାକୁ ଥିବା ଖର୍ଚ୍ଚରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟବସ୍ଥା ହେବ। ଏ ନେଇ ଲିଖିତ ଭାବେ ସଂଘକୁ ଜଣାଇ ଦିଆଯାଇଛି। ବିରୋଧ ଯୋଗୁଁ ଦୀର୍ଘ ଦେଢ଼ ବର୍ଷ ହେବ ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ନଡ଼ିଆ ପିଟି ବେଳାଭୂମି ବିକାଶ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ହୋଟେଲ ଶଙ୍କର ଇଣ୍ଟରନ୍ୟାସନାଲ, ହଲିଡେ ରିସର୍ଟ, ପିଙ୍କ ହାଉସ ଠାରେ ଶୌଚାଳୟ ନିର୍ମାଣ ସହ ପାନୀୟ ଜଳ ବ୍ୟବସ୍ଥା ହେବ। ସେହିପରି ସିଟି ରୋଡ ସଂଲଗ୍ନ ବେଳାଭୂମିକୁ ଜବରଦଖଲ ମୁକ୍ତ କରାଯିବା ସହ ପାର୍କିଂ ଫି ଆଦାୟ ବେଳେ ପିପିପି ମୋଡ କଥା ବିଚାରକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ବେଳାଭୂମିର ସୌନ୍ଦର୍ଯ୍ୟ କରଣ କରାଗଲେ ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢିବ ବୋଲି ଆଶା କରାଯାଉଛି।